ରାଉରକେଲା: ଗୁଣି ଗାରେଡି ସନ୍ଦେହରେ ସାଢେ ଚାରି ବର୍ଷୀୟ ଶିଶୁ କନ୍ୟାକୁ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଧରୁଆଡ଼ିହି ଥାନା ଘୁମୁଡ଼ା ଗାଁ ରେ ।
ଗତ ଶନିବାର, ଘୁମୁଡ଼ା ଗାଁ ର ଇନ୍ଦ୍ରମଣି ସାଙ୍କ ଝିଅ ପୁନମ ସା ସକାଳୁ ଅଙ୍ଗନବାଡି କେନ୍ଦ୍ରରୁ ଘରକୁ ଆସି ଘର ବାହାରେ ଖେଳୁଥିଲା । ହଠାତ ସେଠାରୁ ସେ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ପୁନମ ମିଳିନଥିଲା । ତେବେ ଘର ଲୋକଙ୍କ ସହ ଗ୍ରାମବାସୀ ଉକ୍ତ ଗାଁରେ ଏକ ଯୁବତୀଙ୍କୁ ସନ୍ଦେହ କରି ତାଙ୍କ ଘରେ ଖୋଜାଖୋଜି କରିଥିଲେ । ଖୋଜାଖୋଜି ପରେ ଯୁବତୀଙ୍କ ଘର ଭିତରେ ଥିବା ଏକ ଟିଣ ବାକ୍ସ ମଧ୍ୟରୁ ପୁନମକୁ ମୁର୍ମୂଷ ଅବସ୍ଥାରେ ସେମାନେ ଉଦ୍ଧାର କରିଥିଲେ ।
ତେବେ ପୁନମଙ୍କ ବେକ ଓ ପେଟରେ କାମୁଡ଼ା ଚିହ୍ନ ଦେଖିବାକୁ ମିଳିଥିବା ବେଳେ ଦେହରେ ସିନ୍ଦୁର ମଧ୍ୟ ଲାଗିଥିଲା ।ଏହାପରେ ପରିବାର ଲୋକେ ପୁନମଙ୍କୁ ବାମରା ମେଡିକାଲକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗୁଣି ଗାରେଡି ସନ୍ଦେହରେ ସାଢ଼େ ଚାରି ବର୍ଷ କୁନି ଝିଅକୁ ହତ୍ୟା କରାଯାଇଥିବା ନେଇ ଘୁମୁଡ଼ା ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ଶିଶୁକନ୍ୟାଟିର ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି । ଏପଟେ ଏହି ଘଟଣାରେ ଉକ୍ତ ଯୁବତୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି କରିଛି । ତେବେ ଗିରଫ ଯୁବତୀଙ୍କ ନାମ ସନ୍ଧ୍ୟାରାଣୀ ନାଥ ବୋଲି ଜଣାପଡିଛନ୍ତି ।
ରାଉଲକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ