ରାଉରକେଲା: ଆକ୍ସନମୋଡରେ ରାଉରକେଲାର ନୂଆ ଏସପି ପୋଲିସ । ଅପରାଧ ନିୟନ୍ତ୍ରଣକୁ ସର୍ବାଧିକ ଗୁରୁତ୍ତ୍ବ ଦିଆଯିବା କହିବାର ଗୋଟିଏ ଦିନ ପରେ ପୋଲିସକୁ ମିଳିଛି ବଡ ସଫଳତା । ଛେଣ୍ଡ୍ ଥାନା ଅଞ୍ଚଳର ରିଂ ରୋଡ଼ରେ ପିସ୍ତଲ ଦେଖାଇ ଆତଙ୍କ ସୃଷ୍ଟି କରୁଥିବା ଏବଂ ଦାଦାବଟି ମାଗୁଥିବା ତିନିଜଣ ଯୁବକଙ୍କୁ ଛେଣ୍ଡ୍ ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ ଏବଂ ଦୁଇଟି ଗୁଳି ଜବତ ହୋଇଥିବା ଜଣାପଡିଛି ।
ଅନ୍ୟ ଏକ ଘଟଣାରେ ଲାଠିକଟାଠାରେ ଥିବା ଓଡିଶା ଇଣ୍ଡଷ୍ଟ୍ରି (ଓରିଣ୍ଡ ) ରୁ ଚୋରି ହୋଇଥିବା 35 ଟି ମୋଟର ଏବଂ ଅନ୍ୟ ଯନ୍ତ୍ରାଂଶ ରାଉରକେଲା ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଓରିଣ୍ଡ କାରଖାନା ବହୁ ଦିନରୁ ବନ୍ଦ ଥିବାରୁ ଚୋରମାନେ ସଙ୍ଘବଦ୍ଧ ଭାବେ ଏହି କାରଖାନାରୁ ଚୋରି କରି ଆସୁଥିଲେ । ଏହି ଘଟଣାରେ ଜଡ଼ିତ ଅନ୍ୟ ଚୋର ମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି । ଅସୀମ ପଣ୍ଡା ନୂତନ ଏସପି ଭାବରେ ଦାୟିତ୍ବଭାର ଗ୍ରହଣ କରିବା ପରେ ପୋଲିସର ସକ୍ରିୟତା ଦେଖାଦେଉଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ