ପୁରୀ: ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଆଉ ଶ୍ରୀମନ୍ଦିରର ପ୍ରତି କୋଣ ଅନୁକୋଣରେ ରହିଛି ଅଧ୍ୟାତ୍ମିକ ଦିଗ । ସେ ବାଇଶି ପାହାଚ ହେଉ ବା ନୀଳ ଚକ୍ର । ରୋଷଶାଳା ହେଉ କି କୋଇଲି ବୈକୁଣ୍ଠ । ଏସମସ୍ତ ଭିତରେ ଶ୍ରୀମନ୍ଦିର ଚାରି ଦ୍ବାରର ରହିଛି ଭିନ୍ନ ମାହାତ୍ମ୍ୟ । ଶ୍ରୀମନ୍ଦିର ଚାରି ଦ୍ବାର ହେଲା ସିଂହ ଦ୍ବାର, ବ୍ୟାଘ୍ର ଦ୍ବାର, ହସ୍ତୀ ଦ୍ବାର ଓ ଅଶ୍ବ ଦ୍ବାର । ଶ୍ରୀମନ୍ଦିରର କେଉଁ ଦ୍ବାରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କଲେ କି ଫଳ ପ୍ରାପ୍ତି ହୋଇ ଥାଏ ସେ ନେଇ ରହିଛି ଏକ ଦର୍ଶନ ବିଧାନ ।
ତଦନୁଯାୟୀ ପୂର୍ଵ ଦ୍ବାର ତଥା ସିଂହ ଦ୍ବାର ହେଉଛି ଧର୍ମର ପ୍ରତୀକ । ପଶ୍ଚିମ ଦ୍ବାର ତଥା ବ୍ୟାଘ୍ର ଦ୍ବାର ହେଉଛି କାମନାର ମାର୍ଗ । ଦକ୍ଷିଣ ଦ୍ବାର ତଥା ଅଶ୍ବ ଦ୍ବାର ଅର୍ଥ ଦ୍ବାର ବା ବିଜୟ ମାର୍ଗ ଭାବେ ପରିଚିତ । ସେହିପରି ଉତ୍ତର ଦ୍ବାର ତଥା ହସ୍ତୀ ଦ୍ବାର ଦେଇ ଗଲେ ମୋକ୍ଷପ୍ରାପ୍ତି ହେବା ନେଇ ବିଶ୍ବାସ ରହିଛି । ପୂର୍ବ କାଳରେ ଗଜପତି ମହାରାଜା ମାନେ କୌଣସି ରାଜ୍ୟ ବିଜୟ ଲକ୍ଷ୍ୟରେ ଥିଲେ ଦକ୍ଷିଣ ଦ୍ବାର ଦେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଯାଉଥିବାର କିମ୍ବଦନ୍ତୀ ରହିଛି। ପ୍ରତ୍ୟେକ ମନୁଷ୍ୟ ଜୀବନ କାଳରେ ଧର୍ମ, ଅର୍ଥ, କାମ, ଓ ମୋକ୍ଷ ଆଦି ଚତୁବର୍ଗକୁ ପାଇବା ନେଇ ଆଶା ରଖିଥାନ୍ତି।
ସିଂହ ଦ୍ବାର ବା ପୂର୍ବଦ୍ବାର
ବଡ ଦେଉଳକୁ ପ୍ରବେଶ କରିବାର ମୁଖ୍ୟ ଦ୍ବାର ହେଉଛି ସିଂହ। ସିଂହ ଭଗବାନଙ୍କ ଧର୍ମ ସଂସ୍ଥାପନାର ଏକ ବିଶେଷ ଅବତାରର ସ୍ବରୁପ ବୋଲି ବିଶ୍ବାସ କରାଯାଏ । ଧର୍ମର ଉଦୟ କାରଣରୁ ପୂର୍ବଦ୍ବାରକୁ ସିଂହ ଦ୍ବାର କୁହାଯାଏ । ଏହି ଦ୍ବାର ଦେଇ ଭକ୍ତ, ଶ୍ରଦ୍ଧାଳୁ, ଆଦିଗୁରୁ ଶଙ୍କରାଚାର୍ଯ୍ୟ ପ୍ରବେଶ କରିଥାନ୍ତି । ପ୍ରଧାନତଃ ଏହା ଭକ୍ତି ଦ୍ବାର ଭାବେ ଅବିହିତ ।
ବ୍ୟାଘ୍ର ଦ୍ବାର ବା ପଶ୍ଚିମ ଦ୍ବାର
କାମର ପ୍ରତୀକ ଶାର୍ଦ୍ଦୁଳ, ତାହା ସାଧନ ମାର୍ଗର ପୃଷ୍ଟଭାବ, ତେଣୁ ପଶ୍ଚିମ ଦ୍ବାରରେ ଶାର୍ଦ୍ଦୁଳ ବା ବ୍ୟାଘ୍ର ବିଦ୍ୟମାନ । ପଶ୍ଚିମ ଦ୍ବାର ଦେଇ ଯୋଗୀ ସାଧକ ମାନେ ପ୍ରବେଶ କରିଥାନ୍ତି ।
ଅଶ୍ବ ଦ୍ବାର ବା ଦକ୍ଷିଣ ଦ୍ବାର
ସେହିପରି ଦକ୍ଷିଣ ଦ୍ବାର ତଥା ଅଶ୍ବ ଦ୍ବାର ହେଉଛି ଅର୍ଥ ଦ୍ବାର ତଥା ବିଜୟ ମାର୍ଗ । ପୂର୍ବ କାଳରେ ଗଜପତି ମହାରାଜା ମାନେ କୌଣସି ରାଜ୍ୟ ବିଜୟ ଲକ୍ଷ୍ୟରେ ଥିଲେ ଦକ୍ଷିଣ ଦ୍ବାର ଦେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଯାଉଥିଲେ । ଏଣୁ ଏହାକୁ ବିଜୟ ମାର୍ଗ କୁହାଯାଏ । ଯେଉଁ ମାନେ ପ୍ରଚୁର୍ଯ୍ୟ ଆଶାରେ ରୁହନ୍ତି ସେମାନେ ଦକ୍ଷିଣ ଦ୍ବାର ଦେଇ ଯିବାର ବିଧି ରହିଛି।
ହସ୍ତୀ ଦ୍ବାର ବା ଉତ୍ତର ଦ୍ବାର
ଶ୍ରୀମନ୍ଦିର ଉତ୍ତର ଦ୍ବାର ତଥା ହସ୍ତୀ ଦ୍ବାରକୁ ମୋକ୍ଷ ଦ୍ବାର କୁହାଯାଏ। ଏହାକୁ ଦେବ ଯାନ ମାର୍ଗ ମଧ୍ୟ କୁହାଯାଏ । ଦେବତା ମାନେ ଏହି ଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରନ୍ତି । ସେହିପରି ନବକଳେବର ସମୟରେ ଏହି ଉତ୍ତର ଦ୍ବାର ଦେଇ ଦାରୁ ଶ୍ରୀମନ୍ଦିରକୁ ଅଣାଯାଇ ଥାଏ। ସଂସାରରୁ ମୋକ୍ଷ ପ୍ରାପ୍ତି ଆଶା ନେଇ ଉତ୍ତର ଦ୍ବାର ଦେଇ ଯିବାର ବିଧାନ ରହିଛି ।
ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ନେଇ 1452 ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ମେଘନାଦ ପାଚେରୀ ନିର୍ମାଣ କରିଥିଲେ। ଏହି ସମୟରେ ଶ୍ରୀମନ୍ଦିରର ଚାରି ଦ୍ବାର ନିର୍ମାଣ ହୋଇଥିଲା । ଚାରି ଦ୍ବାରରେ ପ୍ରଭୁ ହନୁମାନ ଦ୍ବାରପାଳ ଅଟନ୍ତି । ଶ୍ରୀମନ୍ଦିରକୁ ସିଂହ ଦ୍ବାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ଲାଭ କରି ଉତ୍ତର ଦ୍ବାର ପଟେ ପ୍ରସ୍ଥାନ କରିବାର ବିଧାନ ରହିଛି।
ଅନ୍ୟପଟେ ଗଜପତିଙ୍କ ମହାରାଣୀ ଗହଣ ବିଜେ ବେଳେ ସିଂହଦ୍ବାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ଵିଧି ରହିଛି । ଗଜପତି ମହାରାଜାଙ୍କ ରାଣୀ ଜୀବନରେ ଥରେ ଗହଣ ବିଜେ ଯିବାର ପରମ୍ପରା ଥିବା ବେଳେ ସିଂହ ଦ୍ବାର ଦେଇ ଯିବାର ବିଧାନ ରହିଛି । ଗହଣ ବିଜେରେ ମହାରାଣୀ କେବଳ ଏକୁଟିଆ ଯାଇ ମହାପ୍ରଭୁଙ୍କ ଦର୍ଶନ କରନ୍ତି। ସେ ସମୟରେ ଶ୍ରୀମନ୍ଦିରକୁ ଶୋଧ କରାଯିବା ସହ କେହି ଶ୍ରୀମନ୍ଦିର ଭିତରେ ରୁହନ୍ତି ନାହିଁ ।
ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରତିଦିନ ଶ୍ରୀମନ୍ଦିରକୁ ଆସିଥାନ୍ତି। ଧର୍ମ, ଅର୍ଥ, କାମ ଓ ମୋକ୍ଷ ହାସଲ ନିମନ୍ତେ ଶ୍ରୀମନ୍ଦିର ଚାରି ଦ୍ବାର ଦେଇ ପ୍ରବେଶ କରିବା ସହ ରତ୍ନସିଂହାସନରେ ଚତୁର୍ଦ୍ଧା ମୂର୍ତିଙ୍କୁ ଦର୍ଶନ କରିଥାନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ