ପୁରୀ: ଖୋଲିଛି ଜିମ ଓ ଯୋଗାଭ୍ୟାସ କେନ୍ଦ୍ର। ପୁରୀ ସହରରେ ଲକଡାଉନ ପରଠାରୁ ଦୀର୍ଘ 4 ମାସ ହେବ ବନ୍ଦ ଥିବା ଜିମ ସବୁ ଖୋଲିବାରେ ଲାଗିଛି। କୋଭିଡ ନିୟମ ଅନୁଯାୟୀ, ଜିମକୁ ଆସୁଥିବା ଲୋକଙ୍କ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯାଇ ଜିମକୁ ପ୍ରବେଶ ଅନୁମତି ଦିଆଯାଉଛି। ମୁହଁ ରେ ମାସ୍କ, ହାତରେ ଗ୍ଲୋବସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଜଣେ ଗୋଟିଏ ଜିମର ମେସିନ ଗୁଡିକ ବ୍ୟବହାର ପରେ ସାନିଟାଇଜ କରାଯାଉଛି। ସମସ୍ତେ ନିଜେ ନିଜେ ସାନିଟାଇଜର ଆଣିବାକୁ ମଧ୍ୟ କୁହାଯାଇଛି। ସେହିପରି ସାମାଜିକ ଦୂରତା ବଜାୟ ରଖିବା ଅନେକ ଗ୍ରୁପ କରାଯାଇ ଥିବା ବେଳେ ଭିନ୍ନ ଭିନ୍ନ ସମୟ ରଖାଯାଇଛି।
ପ୍ରତି ଗ୍ରୁପରେ କେଵଳ 10 ଜଣଙ୍କୁ ରଖାଯାଇଛି। ସକାଳେ 2 ଟି ସ୍ଲଟ ଓ ସନ୍ଧ୍ୟାରେ 2 ଟି ସ୍ଲଟ ରଖାଯାଇଛି। ଅନ୍ୟପଟେ ଜିମ ଖୋଲିବା ପରେ ଯୁବପିଢ଼ି ବେଶ ଖୁସି ଅଛନ୍ତି। ଘରେ ରହି ଉପଯୁକ୍ତ ମାହୋଲ ନ ଥିବା ହେତୁ ଠିକ ଭାବରେ ବ୍ୟାୟାମ କରି ହେଉ ନ ଥିବା ଯୁବପିଢ଼ି କହିଛନ୍ତି।
ଜିମରେ କୋଭିଡ ଗାଇଡ଼ ଲାଇନ ପାଳନ କରି ସେମାନେ ଆସୁଥିବା କହିଛନ୍ତି। ବ୍ୟାୟାମ ଫଳରେ ରୋଗ ପ୍ରତିରୋଧକ ଶକ୍ତି ବଢିବ ଓ କୋରୋନା ସଂକ୍ରମଣରୁ ରକ୍ଷା ପାଇଁ ଏହା ବେଶ ସହାୟକ ହେବ ବୋଲି ଅନେକ ମତ ରଖିଛନ୍ତି।
ଅନ୍ୟପଟେ ଦୀର୍ଘ 4 ମାସରୁ ଅଧିକ ଜିମ ବନ୍ଦ ପରେ ବହୁତ କ୍ଷତି ସହିଥିଲେ ଜିମ ମାଲିକ। ବିଶେଷ କରି ଜିମ ଘରର ଭଡା , ଜିମ ପାଇଁ ହୋଇ ଥିବା ଲୋନ , ଷ୍ଟାଫଙ୍କୁ ଦରମା ଦେବା ଏକ ପ୍ରକାର ମୁସ୍କିଲ ହୋଇ ପଡ଼ିଥିଲା ଜିମ ମାଲିକଙ୍କ ପାଇଁ । କିନ୍ତୁ କୋଭିଡ ଗାଇଡ଼ ଲାଇନ ପାଳନ କରି ଜିମ ଖୋଲିବା ଅନୁମତି ପରେ ଅନେକ ମାଲିକ ଖୁସିବ୍ୟକ୍ତ କରିଛନ୍ତି।
ସେପଟେ କୋଭିଡ ଭୟ ଥିବାରୁ ଅନେକ ଲୋକ ଜିମ ଆସୁ ନାହାନ୍ତି। ସୂଚନା ଅନୁଯାୟୀ 10 ବର୍ଷ ରୁ କମ ବୟସର ପିଲା ,ଗର୍ଭବତୀ ମହିଳା ଓ ବରିଷ୍ଠ ନାଗରିକଙ୍କୁ ଜିମ ଓ ଯୋଗ କେନ୍ଦ୍ରକୁ ଯିବାକୁ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ