ପୁରୀ: ଆଜି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବା ପରେ ଆସନ୍ତାକାଲି(ବୁଧବାର) ତିନି ରଥ ନେବ ଦକ୍ଷିଣ ମୋଡ଼ । ଏହାପୂର୍ବରୁ ଆଜି ତିନିରଥର ମରାମତି କାର୍ଯ୍ୟ କରାଯାଇଛି । ଭୋଇ ସେବକ, ୯ ଜଣ ମହାରଣା ସେବକ, କମାର ସେବକଙ୍କ ଉପସ୍ଥିତିରେ ଏହି ମରାମତି କରାଯାଇଛି । ଗତକାଲି ପୂର୍ତ୍ତ ବିଭାଗର ଯାଞ୍ଚ ସମୟରେ ତାଳଧ୍ଵଜ ରଥର ପଡିନାହାକା ଚକ ଏବଂ ଦର୍ପଦଳନ ରଥର ବଡ ଉଛୁଳା ଚକରେ ଫାଟ ଥିବା ଜଣାପଡିଥିଲା ।
ପହିପାତିଆ ଓ ଲୁହା କ୍ଲାମ୍ପ ଦିଆଯାଇ ରଥର ମରାମତି ହୋଇଛି । ଗତକାଲି ପୂର୍ତ୍ତ ବିଭାଗ ପକ୍ଷରୁ ତିନି ରଥର ଟିକିନିଖି ଯାଞ୍ଚ କରାଯାଇଥିଲା । ରଥଯାତ୍ରା ଦିନ ବଡ଼ଦାଣ୍ଡରେ ଅଢେଇ କିଲୋମିଟର ତିନି ରଥ ଗଡିବା ପରେ ରଥର ବିଭିନ୍ନ ଅଂଶରେ ସମସ୍ୟା ସୃଷ୍ଟି ହୋଇଥିଲା । ଦକ୍ଷିଣମୋଡ଼ ପୂର୍ବରୁ ବୈଷୟିକ ଟିମ୍ ଦ୍ୱାରା ଯାଞ୍ଚ ହେବା ପରେ ରିପୋର୍ଟ ମୁତାବକ ଆଜି ମରାମତି ହୋଇଛି । ପୁର୍ତ୍ତ ବିଭାଗର ସ୍ୱତନ୍ତ୍ର ଟିମ୍ ତିନି ରଥର ଯାଞ୍ଚ ସମୟରେ ତାଳଧ୍ଵଜ ରଥର ପଡିନାହାକା ଚକରେ ଫାଟ ଓ ଦର୍ପଦଳନ ରଥର ବଡଉଛଳା ଚକର ଫାଟ ଥିବା ଜଣାପଡିଥିଲା । ରଥ ଚକ ମରାମତି ପରେ ଆଉ କୌଣସି ସମସ୍ୟା ନଥିବା ବୈଷୟିକ ଟିମ୍ ସଦସ୍ୟ କହିଛନ୍ତି ।
ଇଟିଭି ଭାରତ, ପୁରୀ