ପୁରୀ: ଆଜି ଜଗତ ଜନନୀ ମା ଦୁର୍ଗାଙ୍କ ପବିତ୍ର ବିଜୟା ଦଶମୀ ବା ଦଶହରା । ନବରାତ୍ରୀ ଶେଷ ହେବା ପରେ ଆଜି ମା'ଙ୍କର ବିଜୟା ଦଶମୀ ପାଳନ ହେବ । ଏନେଇ ଶକ୍ତି ପୀଠ ଓ ପୂଜା ମଣ୍ଡପ ଗୁଡିକରେ ସ୍ବତନ୍ତ୍ର ପଜାର୍ଚ୍ଚନା କରାଯିବ । ତେବେ ଦଶହରାରେ ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିରରେ ବନ୍ଦ ରହିଛି ସାଧାରଣ ଦର୍ଶନ । ଏନେଇ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ SOP ଜାରି କରାଯାଇଥିଲା । ପବିତ୍ର ଦଶହରା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଏଥିରେ ନିର୍ଦ୍ଦେଶ ରହିଥିଲା ।
ସେହିପରି ଶନିବାର ଗୋଷାଣି ଭସାଣି ଯାତ୍ରା ପାଇଁ ଦିନ ୧୨ଟାରୁ ବନ୍ଦ ରହିବ ଶ୍ରୀମନ୍ଦିର । ଅକ୍ଟୋବର ଓ ନଭେମ୍ବରରେ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ରବିବାର ଶ୍ରୀମନ୍ଦିରକୁ ବିଶୋଧନ କରାଯିବ । କୁମାର ପୂର୍ଣ୍ଣିମାରେ ଖୋଲା ରହିବ ଶ୍ରୀମନ୍ଦିର । ନଭେମ୍ବର ୪, ୧୫ ଓ ୧୯ ତାରିଖରେ ବନ୍ଦ ରହିବ ଶ୍ରୀମନ୍ଦିର । ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ।