ପୁରୀ: ଶ୍ରୀମନ୍ଦିରର କର୍ପସ ଫଣ୍ଡକୁ ବେଆଇନ ଭାବେ ୟେସ୍ ବ୍ୟାଙ୍କରେ ରଖାଯିବା ପ୍ରସଙ୍ଗରେ ଭିଜିଲାନ୍ସ ତଦନ୍ତ ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଏହି ବେଆଇନ କାର୍ଯ୍ୟରେ କେଉଁ ଅଧିକାରୀ ସାମିଲ ଅଛନ୍ତି ସେ ବିଷୟରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଦାବି ହୋଇଛି । ଏନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ଜିଲ୍ଲା ଭିଜିଲାନ୍ସରେ ଏତଲା ଦିଆଯାଇଛି ।
ସଂଗଠନର ଅଭିଯୋଗ ଅନୁସାରେ, ଏହି ଘଟଣା ପଛରେ ବ୍ୟାପକ ଦୁର୍ନୀତି ତଥା ଲାଞ୍ଚ କାରବାର ହୋଇଛି । ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ, ଅର୍ଥ ବିଭାଗର ଅଧିକାରୀ ଏବଂ ପୁରୀ ଜିଲ୍ଲାପାଳ ଶ୍ରୀମନ୍ଦିର ପରିଚାଳନା କମିଟିର ବିନା ଅନୁମୋଦନରେ ଶ୍ରୀମନ୍ଦିରର 545କୋଟି ଟଙ୍କାର କର୍ପସ ଫଣ୍ଡ ୟେସ୍ ବ୍ୟାଙ୍କ ଭଳି ଏକ ଦୁର୍ବଳ ଘରୋଇ ବ୍ୟାଙ୍କରେ ରଖିଥିଲେ । ଏବେ ୟେସ ବ୍ୟାଙ୍କ ସମ୍ପୂର୍ଣ୍ଣ ଦେବାଳିଆ ଅବସ୍ଥାକୁ ଆସିଥିବା ବେଳେ ମହାପ୍ରଭୁଙ୍କ କର୍ପସ ଫଣ୍ଡର 545 କୋଟି ଟଙ୍କା ସମ୍ପୂର୍ଣ୍ଣ ବୁଡି ଯିବାର ଆଶଙ୍କା ସୃଷ୍ଟି ହୋଇଛି ।
ତେବେ ଦେଶରେ ଅନେକ ରାଷ୍ଟ୍ରାୟତ ବ୍ୟାଙ୍କ ଥିବା ସତ୍ତ୍ବେ କିଏ କାହିଁକି ଏବଂ କାହା ସ୍ଵାର୍ଥରେ ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ଏପରି କାର୍ଯ୍ୟ କରିଛି ତାହାର ତଦନ୍ତ ଭାର ସିବିଆଇକୁ ଦେବା ଲାଗି ଶ୍ରୀଜଗନ୍ନାଥ ସେନା ରାଜ୍ୟ ସରକାରଙ୍କୁ ଦାବି କରିଛି । ଯଦି ଏନେଇ ତଦନ୍ତ ନହୁଏ ତେବେ ମହାପ୍ରଭୁଙ୍କ ସମ୍ପତ୍ତିକୁ ନେଇ ଯେଉଁ ସାଙ୍ଘାତିକ ଅନୀତି କାର୍ଯ୍ୟ ହୋଇଛି ତାହାର ପ୍ରତିବାଦରେ ରାଜ୍ୟବାସୀ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ