ପୁରୀ: 16ରେ ଖୋଲିବ ଶ୍ରୀ ମନ୍ଦିର ଆଉ ଦର୍ଶନ କରିବେ ଭକ୍ତ । ଏନେଇ ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇବେ ପୁରୀ ପୌରାଞ୍ଚଳର ୩୨ଟି ୱ୍ବାର୍ଡ ବାସିନ୍ଦା। ସେହିପରି ୨୩ ତାରିଖରୁ ଜିଲ୍ଲା ତଥା ରାଜ୍ୟ ବାହାରର ସମସ୍ତ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବେ । ତେବେ ପ୍ରଥମ ପର୍ଯ୍ୟାୟରେ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରବାସୀ ମହାପ୍ରଭୁଙ୍କ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ପୌରାଞ୍ଚଳରେ ଥିବା ୩୨ ଟି ୱାର୍ଡ ବାସିନ୍ଦାଙ୍କୁ ପ୍ରଶାସନ ପକ୍ଷରୁ ଚିରୁକୁଟି ଯୋଗାଇ ଦିଆଯିବା ନେଇ ସୂଚନା ମିଳିଛି ।
ଆଉ ଏହି ଚିରୁକୁଟି ଏବଂ ଆଧାର କାର୍ଡ଼ ନେଇ ଭକ୍ତମାନେ ସିଂହଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିବା ସହ ଉତ୍ତର ଦ୍ବାରରେ ପ୍ରସ୍ଥାନ କରିବେ । ସେପଟେ ପୁରୀବାସୀଙ୍କ ତ୍ୟାଗ ପାଇଁ ସେମାନଙ୍କର ଦର୍ଶନ ବ୍ୟବସ୍ଥାରେ କୋଭିଡ଼ ନେଗେଟିଭ ରିପୋର୍ଟ କିମ୍ବା କୋଭିଡ଼ ଡ଼ବଲ ଡ଼ୋଜ ଟିକା ପ୍ରମାଣପତ୍ରର ଆବଶ୍ୟକତା ନ କରିବା ନେଇ ବିଚାର କରୁଛି ପ୍ରଶାସନ । ସେପଟେ ୨୩ରୁ ସର୍ବସାଧାରଣ ଦର୍ଶନକୁ ଦୃଷ୍ଟିରେ ରଖି ଗାଡ଼ି ପାର୍କିଂ, ବ୍ୟାରିକେଡ଼ ବ୍ୟବସ୍ଥା, ସାନିଟାଇଜିଂର ବ୍ୟବସ୍ଥା କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଦର୍ଣନ ସମୟରେ ଭକ୍ତମାନେ ନିଜର କୋଭିଡ଼ ନେଗେଟିଭ ରିପୋର୍ଟ କିମ୍ବା ଡ଼ବଲ ଡ଼ୋଜ ଟୀକାକରଣ ସାର୍ଟିଫିକେଟ କିଓସ୍କୋ (KIOSK)ରେ ଦେଖାଇ ଶ୍ରୀନ୍ଦିର ଭିତରେ ପ୍ରବେଶ କରିପାରିବେ । ସେପଟେ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୯ ତାରିଖରୁ କୋଭିଡ଼ ଟେଷ୍ଟ ଆରମ୍ଭ ହେବା ନେଇ କହିଛନ୍ତି ଜିଲ୍ଲାପାଳ । ଦୀର୍ଘ ୪ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ନେଇ ଭାବବିହ୍ବଳ ହୋଇ ପଡ଼ିଛନ୍ତି ଶ୍ରୀକ୍ଷେତ୍ର ବାସୀ। କେବେ ପ୍ରଶାସନ ପକ୍ଷରୁ ଚିରୁକୁଟି ପାଇ କରିବେ ଜଗା ଦର୍ଶନ ।
ତେବେ ପୁରୀ ସହରରେ ଓ ବଡ଼ଦାଣ୍ତରେ ଘର ଥାଇ ମଧ୍ୟ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ଓ ଘୋଷଯାତ୍ରା ଦର୍ଶନ କରିବାରୁ ୨ ବର୍ଷ ହେବ ବଞ୍ଚିତ ଥିଲେ ପୁରୀବାସୀ । ତେବେ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କୋଭିଡ଼ କଟକଣା ଅନୁଯାୟୀ ହୋଇଥିବା ସମସ୍ତ ବ୍ୟବସ୍ଥାକୁ ପୌରାଞ୍ଚଳବାସୀ ସ୍ବାଗତ କରିଛନ୍ତି । ସେପଟେ କୋଭିଡ଼ର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜନସାଧାରଣ ସଚେତନ ହେବା ସହ କୋଭିଡ଼ କଟକଣା ମାନି ମହାପ୍ରଭୁଙ୍କ ଦର୍ଶନ କରିବାଉଚିତ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ ।
ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ସଟଡ଼ାଉନ ଯୋଗୁଁ ଶନି ଓ ରବିବାର ଦର୍ଶନ ବନ୍ଦ ରହିବ । ସେହିପରି ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣୀ ତଥା ଯାନିଯାତ୍ରା ଦିନ ଗହଳି ନିୟନ୍ତ୍ରଣ ପାଇଁ ଦର୍ଶନ ବନ୍ଦ ରହିବା ନେଇ ଛତିଶା ନିଯୋଗ ପକ୍ଷରୁ ବୈଠକରେ ନିଷ୍ପତ୍ତି ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ