ପୁରୀ: ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ନୀତି । ଓଡ଼ିଆ ଜାତିର ଆରାଧ୍ୟ ଦେବତା ଭଗବାନ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଏହା ମଧ୍ୟ ମହାପ୍ରଭୁଙ୍କ ନୀତିକାନ୍ତି ମଧ୍ୟରୁ ଅନ୍ୟତମ ।
ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଭଗବାନ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଆଜି ଠାକୁରଙ୍କ ଅବକାଶ ନୀତି ସରିବା ପରେ ଠାକୁରଙ୍କୁ ବେଶ କରାଯାଇଥିଲା । ଗମ୍ଭିରାରେ ପାଣି ପଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଘରୁ ଆସିବା ପରେ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରିଥିଲେ |
ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କର ଆଜି ବିଶେଷ ପୂଜାନୀତି ସହ ସଂନ୍ଧ୍ୟାଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ସହ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ । ଗତକାଲି ଅଠରନଳା ନିକଟରେ ଅବସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚି ଚତୁପାର୍ଶ୍ବ ବୁଲି ତାଡ ଗୁଡିକୁ ରୋଷ ବେହେରଣରେ ରଖାଯାଇଥିଲା । ଗତକାଲି ସଂଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ