ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ପଞ୍ଚୁକ ନୀତି। ଏଥି ସହିତ ପଞ୍ଚୁକର ପ୍ରଥମ ଦିନରେ ନୀତିକାନ୍ତି ଅନୁଯାୟୀ ଠାକୁରଙ୍କ ଲକ୍ଷ୍ମୀ ନାରାୟଣ ବେଶ ମଧ୍ୟ ଅନୁଷ୍ଠିତ ହୋଇଛି। ତେବେ କୋଭିଡ କଟକଣା ଓ ଶ୍ରୀମନ୍ଦିର sop ଅନୁଯାୟୀ ଆଜି ସାଧାରଣ ଦର୍ଶନ ବନ୍ଦ ରହିଛି । ଏଣୁ ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଛନ୍ତି । ସିଂହଦ୍ବାର ସମ୍ମୁଖରେ ପତିତପାବନଙ୍କୁ ମୁଣ୍ଡିଆ ମାରି ଭକ୍ତ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି। କେତେକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନ ପାଇ ବେଶ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି।
ସେପଟେ ଆଜି ପଞ୍ଚୁକ ବ୍ରତର ପ୍ରଥମ ଦିନରେ ହବିଷ୍ୟାଳିମାନେ ଚଉରା ମୂଳରେ ମୁରୁଜ ପକାଇ ମହାପ୍ରଭୁଙ୍କ ଚିତ୍ର ଆଙ୍କି ପୂଜା କରୁଛନ୍ତି । କାରକ ମାହାତ୍ମ୍ୟ ଶ୍ରବଣ ସହ ହବିଷ୍ୟାନ୍ନ ଗ୍ରହଣ କରି ନିଷ୍ଠାର ସହ ପଞ୍ଚୁକ ପାଳନ କରୁଛନ୍ତି । ଶାସ୍ତ୍ରରେ ବର୍ଣ୍ଣନା ରହିଛି ଯେଉଁ ଵ୍ୟକ୍ତିମାନେ କାର୍ତ୍ତିକ ମାସରେ କୌଣସି କାରଣରୁ କାର୍ତ୍ତିକ ବ୍ରତ ପାଳନ ନ କରି ପାରିଲେ ଏହି ପଞ୍ଚୁକ ପାଳନ କଲେ ଅଶେଷ ପୁଣ୍ୟ ମିଳିଥାଏ । ଏଣୁ ଭକ୍ତଙ୍କ ମଧ୍ୟରେ ଏକ ଉତ୍ସାହ ଥିବାବେଳେ ସମସ୍ତେ ନିଷ୍ଠାର ସହ ପଞ୍ଚୁକ ପାଳନ କରୁଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ