ପୁରୀ: ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ସହର କରିବା ନେଇ ଶ୍ରୀମନ୍ଦିର ଚାରି ପାଖରୁ 75 ମିଟର ପର୍ଯ୍ୟନ୍ତ ଉଚ୍ଛେଦ ଆରମ୍ଭ ହେବ । ଏମାର ମଠ ସମେତ ପୁରାତନ ରଘୁନନ୍ଦନ ଲାଇବ୍ରେରୀ ଆଜି ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏମାର ମଠରେ ଅନେକ ପୁରାତନ କିମ୍ବଦନ୍ତୀ ରହିଛି ।
ସୂଚନା ଅନୁଯାୟୀ, ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ରହିଛି ପୁରାତନ ଏମାର ମଠ । ଆଉ ଏହା ଭିତରେ ରହିଛି ବ୍ରିଟିଶ ଅମଳର ପୁରାତନ ରଘୁନନ୍ଦନ ଲାଇବ୍ରେରୀ। ଆଜି ଏହାର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ପ୍ରସ୍ତୁତି କରୁଛି ପୁରୀ ଜିଲ୍ଲା ପ୍ରଶାସନ ।
1921 ମସିହାରେ ମହନ୍ତ ଗଦାଧର ରାମାନୁଜ ଦାସ ତାଙ୍କ ଗୁରୁ ରଘୁ ନନ୍ଦନ ରାମାନୁଜ ଦାସଙ୍କ ନାମରେ ଏହି ଲାଇବ୍ରେରୀ ପ୍ରତିଷ୍ଠା କରିଥିଲେ। ଏଠାରେ ଅନେକ ପୁସ୍ତକ , ତାଳ ପତ୍ର ପୋଥି ରହିଛି। ମହାଭାରତ, ବାଲ୍ମିକୀ ରାମାୟଣ ଭଳି ପୌରାଣିକ ପୁସ୍ତକ ସହ ବିଶ୍ବ ଇତିହାସର ଅନେକ ପୁସ୍ତକ ରହିଛି ଏହି ଲାଇବ୍ରେରୀରେ ।
ଯେଉଁଥି ପାଇଁ ଅନେକ ଛାତ୍ରଛାତ୍ରୀ, ଗବେଷକମାନେ ଆସି ଏଠି ବହି ପଢି ଅନେକ ଜ୍ଞାନ ହାସଲ କରିଛନ୍ତି । ଏହା ଓଡିଶାର ସର୍ବ ପୁରାତନ ଲାଇବ୍ରେରୀ ଅଟେ। ଦ୍ବାଦଶ ଶତାବ୍ଦୀର ଏହି ମଠକୁ ରାମାନୁଜ ଆଚାର୍ଯ୍ୟଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା ।
ଶ୍ରୀମନ୍ଦିର ନୀତି କାନ୍ତି ସହିତ ଏହି ମଠ ଜଡିତ । ମହାପ୍ରଭୁଙ୍କ ବଲ୍ଲବ ନୀତିଠାରୁ ଆରମ୍ଭ କରି କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ବାଳ ଭୋଗ ନୀତି ପାଇଁ ସମସ୍ତ ଜିନିଷ ଏହି ମଠ ଯୋଗାଇ ଥାଏ । ମଠର ମହନ୍ତ ମହାପ୍ରଭୁଙ୍କ ଚାମର ସେବା ପାଇଁ ସୁଯୋଗ ପାଇଥାନ୍ତି ।
ତେବେ ଏହି ମଠରେ ଥିବା ସର୍ବ ପୁରାତନ ଲାଇବ୍ରେରୀର ପୁସ୍ତକ ଗୁଡ଼ିକୁ ସଂରକ୍ଷଣ ସହ ଅନ୍ୟତ୍ର ଥଇଥାନର ଆଵଶ୍ୟକତା ରହିଛି । ଫଳରେ ଅଗାମୀ ପିଢ଼ି ଅନେକ ଇତିହାସ ସମ୍ବଳିତ ପୁସ୍ତକରୁ ଅନେକ ତଥ୍ୟ ହାସଲ କରି ପାରିବେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ