ପୁରୀ: ଶ୍ରୀମନ୍ଦିର ରଥଯାତ୍ରାକୁ ୟୁନେସ୍କୋ(UNESCO)ରେ ସ୍ଥାନ ଦେବା ପ୍ରସଙ୍ଗରେ ମତ ରଖିଲେ ଗଜପତି ମହାରାଜା । ଏଥିସହ କେନ୍ଦୁଝରେ ଉଚ୍ଚତମ ରଥ ନେଇ ଗଜପତିଙ୍କ ଅସନ୍ତୋଷ ପ୍ରକାଶ । ପୁରୀରେ ରଥଯାତ୍ରା ପ୍ରଥମ, ପୁରୀ ରଥଠୁ ଉଚ୍ଚତମ ରଥ ପ୍ରସ୍ତୁତ ଉଚିତ୍ ନୁହେଁ, ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଗଜପତି ମହାରାଜ କହିଛନ୍ତି ।
ସୂଚନା ଅନୁଯାୟୀ, କେନ୍ଦୁଝରରେ ଥିବା ରଥକୁ ବିଶ୍ବର ସବୁଠୁ ଉଚ୍ଚ ରଥ ବୋଲି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ(Guinness Book of World Records)ରେ ସ୍ଥାନ ମିଳିବା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଗଜପତି ଦିବ୍ୟସିଂହ ଦେବ । ପୁରୀ ଓ ରଥଯାତ୍ରାର ସ୍ବତନ୍ତ୍ର ମର୍ଯ୍ୟାଦା ରହି ଥିବାବେଳେ ଏହାଠାରୁ ଅଧିକ ଉଚ୍ଚା ରଥ କେଉଁଠାରେ ମଧ୍ୟ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଶ୍ରୀକ୍ଷେତ୍ର ଧାମ ହେଉଛି ମହାପ୍ରଭୁଙ୍କ ମୂଳ ପୀଠ ଏବଂ ଏଠାରେ ଯାହା ନୀତିକାନ୍ତି ହୁଏ ସବୁ ଆଡେ ଅନୁସରଣ କରାଯାଏ । ଏଥିପ୍ରତି ସମସ୍ତେ ସଚେତନ ହେବା ଉଚିତ ବୋଲି ଗଜପତି ମହାରାଜ କହିଛନ୍ତି ।
ସେପଟେ ଚଳିତ ବର୍ଷର ଘୋଷଯାତ୍ରାକୁ ୟୁନେସ୍କୋରେ ସ୍ଥାନ ଦେବାପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବାବେଳେ ରଥଯାତ୍ରାକୁ ୟୁନେସ୍କୋ ପ୍ରତିନିଧି ମଣ୍ଡଳୀ ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ଏନେଇ ତାଙ୍କୁ କିଛି ଅବଗତ କରାଯାଇ ନ ଥିବା କହିଛନ୍ତି ପୁରୀ ଗଜପତି । ୟୁନେସ୍କୋର ନିୟମ ଓ ଗାଇଡଲାଇନ ଅନୁଯାୟୀ ଯାହା ଦରକାର ସରକାର ଯୋଗାଇ ଦେବେ ବୋଲି ଗଜପତି ଆଶା ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ପୁରୀ