ପୁରୀ: ଆଜି ଅପରାହ୍ନରେ ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦିରେ ଶ୍ରୀଜୀଉଙ୍କ ବନକଲାଗି ନିତୀ ଅନୁଷ୍ଠିତ ହେବ । ସେପଟେ ଗୁଣ୍ଡିଚା ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ସ୍ଥିତି ଅନୁଧ୍ୟାନେ କରିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ବଢ଼ିବାରେ ଲାଗିଛି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନିଜେ ପୁରୀ ଏସପି କେ ବିଶାଳ ସିଂ ଓ ଜିଲ୍ଲାପାଳ ସମର୍ଥ ବର୍ମା ଉପସ୍ଥିତ ରହି ତଦାରଖ କରିଛନ୍ତି ।
ଭକ୍ତମାନେ ଯେଭଳି ଖରା ଯୋଗୁଁ ହଇରାଣ ନହେବେ ସେଥିପାଇଁ ଗୁଣ୍ଡିଚା ମନ୍ଦିର ଆଗରେ ସେଡ କରାଯାଇଛି । ଫଳରେ ଭକ୍ତ ମାନେ ଛାଇରେ ରହି ଅସହ୍ୟ ଗୁଳୁଗୁଳି ରୁ କିଛି ମାତ୍ରାରେ ଆଶ୍ବସ୍ତି ଲାଭ କରିଛନ୍ତି। ସେହିପରି ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯାଇଛି । ଭିଡର ସୁଯୋଗ ନେଇ କିଛି ଲୁଟେରା ଯାତ୍ରୀଙ୍କୁ ଟାର୍ଗେଟ କରିବାର ଆଶଙ୍କା ଥିବାରୁ ଏହା ଉପରେ ନଜର ରଖିବାକୁ ଏକାଧିକ ଟିମ୍ ଗଠନ କରାଯାଇଛି । ସେପଟେ 15 ଜଣ ଲୁଟେରାକୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଥିବା ବେଳେ ଅନ୍ୟୁନ 50ରୁ ଅଧିକ ଲୁଟେରାକୁ ପୋଲିସ ଅଟକ ରଖିଛି । ଅନ୍ୟପଟେ ମହାପ୍ରଭୁଙ୍କ ନିତୀକାନ୍ତି କିଭଳି ସୁରୁଖୁରୁରେ ହେବ, ଆଡ଼ପ ଅବଢ଼ା କିଭଳି ଶୀଘ୍ର ଭକ୍ତ ମାନେ ପାଇବେ ସେନେଇ ସେବାୟତଙ୍କ ସହ ଆଲୋଚନା କରାଯାଇଛି । ସେହିପରି ଭକ୍ତମାନେ କିଭଳି ସୁବ୍ୟବସ୍ଥା ଭିତରେ ମହାପ୍ରଭୁଙ୍କ ଦର୍ଶନ ପାଇ ଫେରିବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ଵ ଦେଉଥିବା କହିଛନ୍ତି ଜିଲ୍ଲାପାଳ ।
ଇଟିଭି ଭାରତ, ପୁରୀ