ପୁରୀ: ମହାନଗର ନିଗମ କରିବା ପ୍ରସ୍ତାବ ଏବେ ବି ଅଟକି ରହିଛି । ଭୁବନେଶ୍ବର ଓ କଟକ ପରେ ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁରକୁ ମହାନଗର ନିଗମ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ପୁରୀ ମହାନଗର ନିଗମରୁ ବଞ୍ଚିତ ହୋଇଥିବା ମତପ୍ରକାଶ ପାଇଛି । ଅନ୍ୟପଟେ ମହାନଗର ନିଗମ ପାଇଁ ଆବଶ୍ୟକ ନିୟମାବଳୀ ପୂରଣ କରିପାରୁ ନ ଥିବାରୁ ପୁରୀକୁ ମହାନଗର ନିଗମ ଘୋଷଣାରେ ବିଳମ୍ବ ହେଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ପୁରୀ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଯୋଗୁଁ ଦୈନିକ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଛୁଟି ଆସିଥାନ୍ତି । ଅନ୍ୟପଟେ ପୁରୀକୁ ଏକ ବିଶ୍ବସ୍ତରୀୟ ସହର ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ପ୍ରସ୍ତ୍ରୁତି ଚଳାଇଛନ୍ତି । କିନ୍ତୁ ଭୁବନେଶ୍ବର ଓ କଟକ ପରେ ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାକୁ ମହାନଗର ନିଗମ କରାଯାଇଥିବାବେଳେ ପୁରୀ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ୨୦୧୫-୧୬ ରୁ ପୌରସଂସ୍ଥା ପକ୍ଷରୁ ପୁରୀକୁ ମହାନଗର ନିଗମ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏମିତିକି ପୌରସଂସ୍ଥାର ୨୯ ୱାର୍ଡକୁ ବୃଦ୍ଧି କରାଯାଇ ୩୨ଟି ୱାର୍ଡ କରାଯାଇଥିଲା। ପୁରୀ ସଂଲଗ୍ନ ତିନୋଟି ପଞ୍ଚାୟତକୁ ସାମିଲ କରିବା ପାଇଁ ସର୍ଭେ କରାଯାଇ ନଗର ଉନ୍ନୟନ ବିଭାଗକୁ ପଠାଯାଇଥିଲା। ମହାନଗର ନିଗମ ପାଇଁ ୫ ଲକ୍ଷ ଜନସଂଖ୍ୟାର ଆବଶ୍ୟକତା ଥିବା ବେଳେ ନୂତନ ସଂଶୋଧନ ଆଇନ ଅନୁଯାୟୀ ୩ ଲକ୍ଷ ଜନସଂଖ୍ୟାରେ ମଧ୍ୟ ପୌରନିଗମ ହୋଇପାରିବ। ୨୦୧୧ ଜନଗଣନା ଅନୁଯାଇ ପୁରୀ ସହରର ଜନସଂଖ୍ୟା 2 ଲକ୍ଷ 10 ହଜାର ରହିଛି। ୧୦ ବର୍ଷ ପରେ ଚଳିତ ବର୍ଷ ଜନଗଣନା ହେବ। ଯଦି ଏବେ ଜନଗଣନା କରାଯାଏ ତେବେ ପୁରୀର ଜନସଂଖ୍ୟା ୩ ଲକ୍ଷରୁ ଊର୍ଦ୍ଧ୍ବ ହେବ । ତେଣୁ ରାଜ୍ୟ ସରକାର ଯଥାଶୀଘ୍ର ପୁରୀର ଜନଗଣନା କରିବା ସହ ପୁରୀକୁ ମହାନଗର ନିଗମ ଭାବେ ଘୋଷଣା କରିବାକୁ ଦାବି ହୋଇଛି । ୧୮୮୧ ମସିହାରୁ ପୁରୀ ପୌରସଂସ୍ଥା ପୁରୀବାସୀଙ୍କୁ ସେବା ଯୋଗାଇ ଆସୁଛି। ୧୪୦ ବର୍ଷ ମଧ୍ୟରେ ପୁରୀର ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ପୁରୀର ଉପକଣ୍ଠ ଅଞ୍ଚଳ ସିପସରୁବାଲି, ଗୋପିନାଥପୁର ପଞ୍ଚାୟତ, ଛଇତନା ପଞ୍ଚାୟତ ସହିତ ପୁରୀ ସହର ଏକ ପ୍ରକାର ମିଶି ଯାଇଛି। ୨୦୨୧ ଜନଗଣନାରେ ଜନସଂଖ୍ୟା ପ୍ରାୟ ତିନିଲକ୍ଷ ଟପିବା ଅସମ୍ଭବ ନୁହେଁ।
ସେପଟେ ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର ଭାବେ ଗଢା ଯାଉଥିବାରୁ ଆଉ ପୌରସଂସ୍ଥା ନୁହେଁ ତୁରନ୍ତ ପୁରୀକୁ ମହାନଗର ନିଗମ ଘୋଷଣା କରିବା ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ। ପୁରୀକୁ ମହାନଗର ନିଗମ କରିବା ପାଇଁ ରାଜ୍ୟ ସରକାର ଯଦି ତଥ୍ୟ ମାଗିବେ ସମସ୍ତ ତଥ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ। ସେପଟେ ପୁରୀ ଜିଲାପାଳଙ୍କ କହିବା କଥା ଏହି ପ୍ରସଙ୍ଗ ସରକାରଙ୍କ ନିକଟରେ ରହିଛି। ସରକାରଙ୍କ ନିର୍ଦ୍ଦେଶ ଆସିଲେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ