ପୁରୀ: ବଦଳୁଛି ବାଙ୍କୀ ମୁହାଣର ଦୃଶ୍ୟ । ବେଳାଭୂମିର ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ପ୍ରଥମ ପର୍ଯ୍ୟାୟରେ ପୋଲ ନିର୍ମାଣ କରି ଗୋଲଡେନ ବିଚ୍ ସହିତ ବାଙ୍କୀ ମୁହାଣ ବେଳାଭୂମିକୁ ଯୋଡା ଯାଇଛି ।
ଦୁଇ ବେଳାଭୂମି ମଧ୍ୟରେ ଏକ ଜଳାଧାରା ଯାଇଥିବାରୁ ଏହା ଅଲଗା ହୋଇ ରହିଥିଲା । ପର୍ଯ୍ୟଟକମାନେ ଏଠାକୁ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା ଯୋଡା ଯିବା ଫଳରେ ପର୍ଯ୍ୟଟକମାନେ ଏଣିକି ସିଧାସଳଖ ଗୋଲଡେନ ବିଚ୍ରୁ ବାଙ୍କୀ ମୁହାଣ ବିଚ୍କୁ ଯାଇପାରିବେ ।
ସେପଟେ ମୁହାଣ ନିକଟ ଚକ୍ରତୀର୍ଥରେ ମହାପ୍ରଭୁଙ୍କ ଦାରୁ ଲାଗିଥିବା ବିଶ୍ବାସ ରହିଥିବାରୁ ଏହାର ଉନ୍ନତି ଦିଗରେ କାମ ଆରମ୍ଭ ହୋଇଛି । ଉକ୍ତ ଅଞ୍ଚଳକୁ ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ରରେ ପରିଣତ କରିବା ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।
ଗତ କିଛି ବର୍ଷ ହେବ ପୁରୀ ସହରର ନର୍ଦ୍ଦମା ଜଳ ବାଙ୍କୀ ମୁହାଣ ଦେଇ ସମୁଦ୍ରରେ ମିଶୁଛି। ଯାହା ଫଳରେ ଏହି ଅଞ୍ଚଳ ପ୍ରଦୂଷିତ ହେବା ସହ ବେଳାଭୂମି ସୌନ୍ଦର୍ଯ୍ୟ ହରାଇଛି। ଏହାକୁ ସୁନ୍ଦର କରିବା ପାଇଁ ପ୍ରାଥମିକ ଭାବେ ସେଠାରେ ନିଳାଦ୍ରୀ ବିଚ୍ ନାମରେ ଏକ ସୁନ୍ଦର ପାର୍କ ତିଆରି କରାଯାଇଛି। ଏହି ପାର୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ବିଭିନ୍ନ କାହାଣୀ ପଥର ଖୋଦେଇ କରାଯାଇ ସ୍ଥାପନ ହୋଇଛି। ଯାହା ଅଧିକ ଚିତାକର୍ଷକ ପାଲଟିଛି ।
ପୁରୀକୁ ହେରିଟେଜ ସିଟି ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗେଇ ଚାଲିଛି। ଗତ 24 ତାରିଖରେ 5 ଟି ସଚିବ ଭି.କେ. ପାଣ୍ତିଆନ୍ ମଧ୍ୟ ପୁରୀ ବେଳାଭୂମିକୁ କିଭଳି ଅଧିକ ସୌନ୍ଦର୍ଯ୍ୟକରଣ କରାଯାଇ ପାରିବ ସେନେଇ ସମୀକ୍ଷା କରିଛନ୍ତି ।
ପୂର୍ବରୁ ବ୍ଲୁଫ୍ଲାଗ ବିଚ କାର୍ଯ୍ୟ ଶେଷ ହୋଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଗୋଲଡେନ ବିଚ୍ ସମେତ ବାଙ୍କୀ ମୁହାଣ ବିଚ୍ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନେଇ ଜିଲ୍ଲା ପ୍ରଶାସନ ଅଭିଯାନ ଆରମ୍ଭ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ