ପୁରୀ: ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଜାରି ରହିଛି ସରକାରଙ୍କ ଉଦ୍ୟମ । ପ୍ରସ୍ତୁତ ହୋଇଥିବା ନୀଳ ନକ୍ସାକୁ ବାସ୍ତବ ରୂପ ଦେବାପାଇଁ ଚାଲିଛି ଗୋଟିଏ ପରେ ଗୋଟିଏ କାମ । ବହୁ ପ୍ରତିକ୍ଷିତ ଶ୍ରୀସେତୁ ପ୍ରକଳ୍ପ (Shree setu Project Puri ) ପାଇଁ ଜମି ଅଧିଗ୍ରହଣ ସଂପର୍କିତ ଜନଶୁଣାଣି ଅନୁଷ୍ଠିତ ହୋଇଛି ।
ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ସଂପର୍କିତ ପୁନଃବାର୍ସ ଓ ପୁନଃଥଇଥାନ ପାଇଁ ପ୍ରସ୍ତୁତ ଚିଠା ଉପରେ ସମଙ୍ଗ, ମାଟିତୋଟା, ମାର୍କଣ୍ତେଶ୍ବର ସାହି-୧ ମୌଜା ନିମନ୍ତେ ଜଗନ୍ନାଥ ବଲ୍ଲଭ ମଠ ପ୍ରାଙ୍ଗଣରେ ଜନଶୁଣାଣି (Public Hearing) ଅନୁଷ୍ଠିତ ହୋଇଛି ।
ଆଜି ପୁରୀ ଉପ-ଜିଲ୍ଲାପାଳ ତଥା ପ୍ରଶାସକ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଏହି ଜନଶୁଣାଣି ହୋଇଥିଲା । ପୁନର୍ବାସ ଓ ଥଇଥାନ ଯୋଜନା ପାଇଁ ପ୍ରସ୍ତୁତ ଚିଠା ଜମି ପ୍ରଦାନରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ଉକ୍ତ ପ୍ରକଳ୍ପ ନିମନ୍ତେ ମୋଟ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ କରାଯିବ । ସଂପୃକ୍ତ ଜମିର କୃଷି ଶ୍ରମିକ ମାନଙ୍କ ନିମନ୍ତେ ଦୈନିକ ୩୧୫ ଟଙ୍କା ହିସାବରେ ଦୁଇ ଶହ ଦିନ ପାଇଁ ୬୩ ହଜାର ଟଙ୍କା, କ୍ଷୁଦ୍ର ଦୋକାନୀ, କାରିଗର ଓ ଛୋଟ ବ୍ୟବସାୟୀ ମାନଙ୍କ ପାଇଁ ୨୫ ହଜାର ପ୍ରଦାନର ବ୍ୟବସ୍ଥା ରହିଛି ।
ସେହିଭଳି ସରକାରୀ ଓ ଶ୍ରୀ ଜଗନ୍ନାଥଙ୍କ ଜମି, ମଠ ଜାଗାରେ ବେଆଇନ ଭାବେ ଘରକରି ବାସବାସ କରୁଥିବା ବାସିନ୍ଦାଙ୍କ ପାଇଁ ପୁନର୍ବାସ ଓ ଥଇଥାନ ପ୍ୟାକେଜ ହିସାବରେ ସଂପୃକ୍ତ ଗୃହର ମୂଲ୍ୟ, ଘର ନିର୍ମାଣ ସହାୟତା ଭାବେ ପ୍ରତ୍ୟେକ ପରିବାରକୁ ୨ ଲକ୍ଷ ୭୩ ହଜାର ଓ ସ୍ଥାନାନ୍ତର ଭତ୍ତା ଭାବେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ଜନଶୁଣାଣିରେ ସଂପୃକ୍ତ ବ୍ୟକ୍ତିବିଶେଷ ଉକ୍ତ ସହାୟତା ନେଇ ସେମାନଙ୍କ ମତାମତ ପ୍ରଦାନ କରିବା ସହ ଖୁସିବ୍ୟକ୍ତ କରିଥିଲେ ।
ସେହିପରି ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଭୂ-ଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନା, ତହସିଲଦାର ରବିନ୍ଦ୍ର ପ୍ରଧାନ, ଓଡିଶା ସେତୁ ନିର୍ମାଣ ନିଗମ ( Odisha Construction Corporation) ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢୀ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଖଦେବ ସାହୁ ସଂପୃକ୍ତ ଅଞ୍ଚଳର ବାସିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ