ପୁରୀ: ଆରମ୍ଭ ହେଲା ଚନ୍ଦନ ଯାତ୍ରା ପ୍ରସ୍ତୁତି । ଆସନ୍ତା ମେ 3 ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା । ଏଥି ନିମନ୍ତେ ଆଜିଠାରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ମହାପ୍ରଭୁଙ୍କ ଚାପ ଡଙ୍ଗାକୁ ନରେନ୍ଦ୍ର ସରୋବର ଜଳ ଭିତରୁ ସେବାୟତଙ୍କ ଦ୍ବାରା କଢାଯାଇଛି।
ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ଅବସରରେ ୨୧ ଦିନ ଧରି ଠାକୁର ମାନେ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର କରିବେ । ଆଜି ଚୈତ୍ର ପୂର୍ଣ୍ଣିମାରେ ଭୋଇ ସେବକମାନେ ନନ୍ଦାଭଦ୍ରା ସମେତ 5ଗୋଟି ଚାପ ଡଙ୍ଗା ଉଠାଇଛନ୍ତି । ଗତ ବର୍ଷ ଯାତ୍ରା ପରେ ନରେନ୍ଦ୍ର ଜଳରେ ବୁଡ଼ି ରହିଥିବା ନୌକା ନନ୍ଦା-ଭଦ୍ରାକୁ ବାହାରକୁ କଢାଯାଇ ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯିବ । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ରୀତିନୀତିରେ ଅନେକ ସ୍ବତନ୍ତ୍ରତା ରହିଛି । ୨ଗୋଟି ଲେଖାଏଁ ନୌକାକୁ ଯୋଡ଼ି ନନ୍ଦା-ଭଦ୍ରା ପ୍ରସ୍ତୁତ ହୋଇଥାଏ।
ସେଥିରେ ଠାକୁରମାନେ ନୌଯାତ୍ରା କରିଥାନ୍ତି । ପଞ୍ଚମ ଡଙ୍ଗାରେ ପାରମ୍ପରିକ ବାଦ୍ୟ ବଜନ୍ତରୀ ବାଜେ । ଠାକୁରଙ୍କ ଡ଼ଙ୍ଗା ସମ୍ମୁଖରେ ଏହି ଡଙ୍ଗା ଯାଇଥାଏ । ବାହାର ଚନ୍ଦନଯାତ୍ରାର ଶେଷ ପର୍ବ ଠାକୁରଙ୍କ ହଳଦୀପାଣି ଉତ୍ସବ ସରିବାରେ ପରମ୍ପରା ଅନୁସାରେ ପୁନଃ ଡଙ୍ଗାକୁ ପାଣିରେ ବୁଡ଼ାଇ ଦିଆଯାଏ । ଭୋଇ ସର୍ଦାର ରବି ଭୋଇଙ୍କ ନେତୃତ୍ବରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ