ପୁରୀ: ଗାନ୍ଧୀ ଜୟନ୍ତୀ ଠାରୁ ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନିଷିଦ୍ଧ କରାଯାଇଛି। ପୁରୀ ତଥା ସାରା ଜିଲ୍ଲାରେ ଏହି ନିୟମ କିଭଳି କଡାକଡି କରାଯାଇ ପାରିବ ସେନେଇ ପୁରୀ ଜିଲ୍ଲାପାଳ ଏକ ସମୀକ୍ଷା ବୈଠକ କରିଛନ୍ତି।
ଜିଲ୍ଲାପାଳ ବଲବନ୍ତ ସିଂଙ୍କ ସୂଚନା ଅନୁଯାୟୀ, ମୁଖ୍ୟତଃ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ପଦାର୍ଥ ବର୍ଜନ ନେଇ ଜନ ସଚେତନତା, ପ୍ଲାଷ୍ଟିକ ପଦାର୍ଥର ବିକଳ୍ପ ବ୍ୟବହାର ଓ ନିୟମ ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ ମୁଖ୍ୟତଃ ଗୁରୁତ୍ବ ଦେଉଛି।
ପ୍ରତି ପଞ୍ଚାୟତରେ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ନକରିବା ନେଇ ସଭା ବୈଠକ ଅନୁଷ୍ଠିତ ହେବ। ଯେଉଁ ପଞ୍ଚାୟତ ପ୍ଲାଷ୍ଟିକ ବର୍ଜନ କରିବାରେ ଆଗରେ ରହିବ ସ୍ବାଧୀନତା ଦିବସରେ ଉକ୍ତ ପଞ୍ଚାୟତକୁ ପୁରସ୍କାର ଦିଆଯିବ। ସେହିଭଳି ଛାତ୍ରଛାତ୍ରୀ, ଅଙ୍ଗନାବାଡି କର୍ମୀ, ସ୍ବେଚ୍ଛାସେବୀଙ୍କୁ ନେଇ ପ୍ରତେକ ପରିବାରରେ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ନକରିବାକୁ ସଚେତନ କରାଯିବ । ଏନେଇ ବିଭିନ୍ନ ବିଜ୍ଞାପନ ମଧ୍ୟ ଦିଆଯିବ।
ସରକାରୀ ଅଫିସ କାର୍ଯ୍ୟରେ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ନଦୀରୁ ଯାଇ ସମୁଦ୍ରରେ ମିଶୁଥିବା ପ୍ଲାଷ୍ଟିକ ସାମଗ୍ରୀକୁ ସଂଗ୍ରହ କରାଯାଇ ମେସିନ୍ ମାଧ୍ୟମରେ ନଷ୍ଟ କରାଯିବ। ଏହି ପ୍ଲାଷ୍ଟିକବର୍ଜ୍ୟ ପଦାର୍ଥ ଗୁଡିକୁ ସିମେଣ୍ଟ ପ୍ରସ୍ତୁତିରେ ତଥା ବିଭିନ୍ନ ରାସ୍ତା ଘାଟ ନିର୍ମାଣରେ ଲଗାଯିବ ନେଇ ବ୍ୟବସ୍ଥା କରାଯିବ।
ସେହିପରି କାଗଜ, ଝୋଟ, କପଡା ବ୍ୟାଗ କରିଥିବା କାରିଗରଙ୍କୁ ପ୍ରୋତ୍ସାହନ ଦିଆଯିବ। ସେହିପରି 50 ମାଇକ୍ରନ ତଳକୁ ପ୍ରସ୍ତୁତ ପଲିଥିନ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ତେବେ ଏହି ନିୟମ ଯେଭଳି ଉଲଙ୍ଘନ ନହୁଏ ସେନେଇ ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ଟିମ ନଜର ରଖିବା ସହ ଦରକାର ପଡ଼ିଲେ ଚଢ଼ାଉ କରି ଜୋରିମାନା ମଧ୍ୟ ଆଦାୟ କରାଯିବ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ