କଟକ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ (Srimandir Heritage Corridor Project) ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ । ନିର୍ମାଣ କାର୍ଯ୍ୟ ବେଆଇନ ବୋଲି ଦର୍ଶାଇ ଏହି ମାମଲା ଦାୟର ହୋଇଛି । ଅବସରପ୍ରାପ୍ତ IAS ସୁଦର୍ଶନ ନାୟକ ଓ ବିଶିଷ୍ଟ ସାହିତ୍ୟିକ ଭୁବନାନନ୍ଦ ମହାନ୍ତିଙ୍କ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) କୌଣସି ଅନୁମତି ପ୍ରଦାନ କରିନାହିଁ । ଏଥିପାଇଁ ଏନଓସି (NOC) ମଧ୍ୟ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରୁ ଜାରି କରାଯାଇ ନାହିଁ ।
ଆବେଦନରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ରିପୋର୍ଟରେ ଐତିହ ସ୍ଥଳର ପ୍ରତ୍ନତାତ୍ତ୍ବିକ ଅବଶେଷ ନଷ୍ଟ ହେବାର ସବୁ ପ୍ରକାର ସମ୍ଭାବନା ରହିଛି ବୋଲି ASI ଦର୍ଶାଇଛି । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ କୌଣସି ହେରିଟେଜ୍ ଇମ୍ପାକ୍ଟ ଆସେସମେଣ୍ଟ ଷ୍ଟଡି କରାଯାଇ ନାହିଁ । ୭୫ ମିଟର ପରିଧି ଅଞ୍ଚଳର ମାଟି ତଳେ ରହିଥିବା ପ୍ରତ୍ନତ୍ତାତ୍ବିକ ଓ ଐତିହାସିକ ଗୁରୁତ୍ବ ରଖୁଥିବା ଅବଶେଷ ପ୍ରସଙ୍ଗରେ ଜାଣିବା ପାଇଁ କୌଣସି ସର୍ଭେ (GPRS) କରାଯାଇ ନାହିଁ । ଆନସିଆଣ୍ଟ ମନୁମେଣ୍ଟ ଆଣ୍ଡ୍ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ, ୧୯୫୮ର ଧାରା ୨୦-କ ଅନୁସାରେ ସଂରକ୍ଷିତ କୀର୍ତ୍ତିରାଜିର ୧୦୦ ମିଟର ଭିତର ଅଞ୍ଚଳ ନିଷିଦ୍ଧାଞ୍ଚଳ (ପ୍ରୋହିବିଟେଡ ଏରିଆ)। ଏହି ଅଞ୍ଚଳ ଭିତରେ କୌଣସି ପ୍ରକାର ନିର୍ମାଣ ଉପରେ ଅଙ୍କୁଶ ରହିଛି । କିନ୍ତୁ ସବୁ ନିୟମକୁ ଜଳାଞ୍ଜଳି ଦେଇ ନିଷିଦ୍ଧାଞ୍ଚଳରେ ନିର୍ମାଣ କରାଯାଉଛି । ଏହା ଦ୍ବାରା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ବିପଦ ଦେଖା ଦେଇଛି ।
ଏପରି ନିର୍ମାଣ ତୁରନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି କୋର୍ଟରେ ପାର୍ଥନା କରାଯାଇଛି । ସଂପୂର୍ଣ୍ଣ ଭାବେ ଯାଞ୍ଚ ଓ ସ୍ଥିତି ଅନୁଧ୍ୟାନ ପରେ ଏହି ପ୍ରସଙ୍ଗରେ ପଦକ୍ଷେପ ନିଆଯାଉ, ଏଥିସହିତ ଏହି ପ୍ରକଳ୍ପ ପାଇଁ ୨୦୨୧, ସେପ୍ଟେମ୍ବର ୪ରେ NMA ଅନୁମତିକୁ ବେଆଇନ ବୋଲି ଘୋଷଣା କରାଯାଇ ରଦ୍ଦ କରାଯିବାକୁ ଆବେଦନରେ ଉଲ୍ଲେଖ ରହିଛି । ଏହି ମାମଲାରେ କେନ୍ଦ୍ର, ରାଜ୍ୟ ସରକାର, ଏଏସଆଇ, ଏନଏମଏ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ