ପୁରୀ: ମେ ଫେୟାର ହୋଟେଲ(Puri Mayfair Hotel)ରେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ । ଏକ ରୁମରୁ ଜଣେ ଅଣଓଡ଼ିଆ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପର୍ଯ୍ୟଟକ ଜଣଙ୍କ ରଶି ଲଗାଇ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି । ହୋଟେଲର ୧୧୧୧ ନମ୍ବର ରୁମରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଉଛନ୍ତି ଐଶ୍ୱର୍ଯ୍ୟା ସାହାନାବାଗ, ଘର ବେଙ୍ଗାଲୁରୁରେ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣଙ୍କ ଏକ ଏନଜିଓ(NGO)ରେ କର୍ମଚାରୀ ରୂପେ କାର୍ଯ୍ୟ କରନ୍ତି, ଗୁରୁବାର ମେ ଫେୟାର ହୋଟେଲରେ ୱାଟର ରିସୋର୍ସେସ ବୈଠକରେ ମହିଳା ଜଣଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ବୈଠକରେ ଯୋଗ ଦେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି ।
ଏହା ମଧ୍ୟ ପଢନ୍ତୁ-ଭୁବନେଶ୍ବରରେ ଜେପି ନଡ୍ଡା, କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର
ତେବେ ବୁଧବାର ରାତିରେ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଥିଲେ ଐଶ୍ୱର୍ଯ୍ୟା ସାହାନାବାଗ । ଗୁରୁବାର ସକାଳେ ବାରମ୍ବାର ତାଙ୍କ ଫୋନକୁ ସ୍ୱାମୀଙ୍କ କଲ ଆସିଥିଲା । ମାତ୍ର ଫୋନ୍ ରିଙ୍ଗ ହୋଇ କଟିଯାଇଲେ ମଧ୍ୟ କେହି ଉତ୍ତର ଦେଇନଥିଲେ । ଏ ସମ୍ପର୍କରେ ମହିଳାଙ୍କ ସ୍ବାମୀ ହୋଟେଲକୁ ଅବଗତ କରିଥିଲେ । ହୋଟେଲ କର୍ମଚାରୀ ସଙ୍ଗେ ସଙ୍ଗେ ମହିଳାଙ୍କ ରୁମ ନିକଟରେ ପହଞ୍ଚି ବାରମ୍ବାର ବେଲ୍ ମାରିଥିଲେ ମଧ୍ୟ ନିରାଶ ହୋଇଥିଲେ । ପରେ ଡୁପ୍ଲିକେଟ ଚାବିରେ ରୁମ୍ ଖୋଲିବା ପରେ ମହିଳା ଜଣଙ୍କ ରଶି ଲଗାଇଥିବା ଦେଖିବାକୁ ମିଳିଥିଲା । ଏନେଇ ପୋଲିସକୁ ଖବର ଦେବା ପରେ ସମୁଦ୍ରକୁଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଐଶ୍ୱର୍ଯ୍ୟାଙ୍କ ପରିବାର ଲୋକଙ୍କୁ ଏନେଇ ଖବର ଦିଆଯାଇଛି । ସେମାନେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ଆଇଆଇସି ସୂଚନା ଦେଇଛନ୍ତି ।
ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ କରୁଛି ପୋଲିସ, ମହିଳା ଜଣଙ୍କ ଯଦି ଆତ୍ମହତ୍ୟା କରିଛନ୍ତି ଏହା ପଛରେ କାରଣ କଣ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ମୃତ୍ୟୁ ପଛରେ ପାରିବାରିକ କାରଣ ନା ଆଉ କିଛି ରହିଛି ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ କେତେଦିନ ହେବ ମହିଳା ଜଣଙ୍କ ହୋଟେଲରେ ରହିଥିଲେ ଓ କେବେ ପୁରୀ ଆସିଥିଲେ, ସେ ଏକା ଆସିଥିଲେ ନା ତାଙ୍କ ସାଙ୍ଗରେ ଆଉ କିଏ ଆସିଥିଲା, ଏହି ସବୁ ଦିଗରେ ତଦନ୍ତ କରିବ ପୋଲିସ ।
ଇଟିଭି ଭାରତ, ପୁରୀ