ପୁରୀ: କୋରୋନା କଟକଣା ମଧ୍ୟରେ ସଫଳତାର ସହ ସରିଲା ଐତିହାସିକ ଘୋଷଯାତ୍ରା । ଖାଲି ନବଦିନାତ୍ମକ ଯାତ୍ରା ନୁହଁ ନୀଳାଦ୍ରିବିଜେରେ ମଧ୍ୟ ସଅଳ ପହଣ୍ଡି ଓ ମହାପ୍ରଭୁଙ୍କ ରୁନ୍ଧା ନୀତି କରି ରତ୍ନ ସିଂହାସନରେ ବିରାଜମାନ କଲେ ମହାପ୍ରଭୁ । ତେବେ ଆଜି ଦିନ 12 ରୁ 1 ଟା ମଧ୍ୟରେ ମହାପ୍ରଭୁଙ୍କ ପ୍ରଥମ ନୀଳାଚଳ ଅବଢା ଭକ୍ତ ପାଇପାରିବେ । ଉତ୍ତରପାର୍ଶ୍ବ ମଠରେ ଅସ୍ଥାୟୀ କାଉଣ୍ଟର କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ଭଳି ମୋବାଇଲ କଲ ମାଧ୍ୟମରେ ମଧ୍ୟ ଭକ୍ତମାନେ ଅବଢା ବରାଦ ଦେଇପାରିବେ ବୋଲି ସୂଚନା ଦିଆଯାଇଛି ।
ଏନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରଶାସନ ସହ ଆଲୋଚନା ସରିଛି । ଦୁଇଦିନ ମଧ୍ୟରେ ସ୍ଥାୟୀ ବ୍ୟବସ୍ଥା ସହ ପ୍ରତ୍ୟେକ ଭକ୍ତକୁ ମହାପ୍ରସାଦ ଯୋଗାଇବା ପାଇଁ ବ୍ୟବସ୍ଥା ହେବ ।
ଏହି ନୀଳାଚଳ ଅବଢାର ରହିଛି ସ୍ବତନ୍ତ୍ର ବିଶେଷତ୍ବ । ମହାପ୍ରଭୁ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ଯିବା ବେଳେ ଶ୍ରୀମନ୍ଦିରରେ ଅବଢା ମହାପ୍ରସାଦ ହୋଇ ନ ଥାଏ । ପୁଣି ମହାପ୍ରଭୁ ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିରାଜ ମାନ ପରେ ପ୍ରଥମ ଦିବସର ଅବଢାକୁ ନୀଳାଚଳ ଅବଢା କୁହାଯାଏ। ଏଣୁ ଏହାକୁ ପାଇବାକୁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖାଦିଏ ।
ସେପଟେ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ଜିଲ୍ଲାକୁ ପ୍ରବେଶ ଉପରେ କଟକଣା ରହିଛି । ଜୁଲାଇ 31 ପର୍ଯ୍ୟନ୍ତ ପୁରୀ ନଆସିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଅତ୍ୟାବଶ୍ୟକ କାମ ନଥିଲେ ଆସନ୍ତୁ ନାହିଁ ଯଦି ଆବଶ୍ୟକ ପଡେ ତେବେ ପରିଚୟ ପତ୍ର ସାଙ୍ଗରେ ଆଣିବା ବାଧ୍ୟତା ମୂଳକ । ପୁରୀ ଜିଲ୍ଲାର ତିନୋଟି ପ୍ରବେଶ ପଥ ଉପରେ ରହିବ ନଜର । ତେବେ ବଡ଼ କଥା ହେଉଛି ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ, କର୍ମଚାରୀ ସମସ୍ତଙ୍କର ଆଉ ଥରେ କୋଭିଡ ଟେଷ୍ଟ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ