ପୁରୀ: ଓଡିଶାକୁ ମହାତ୍ମା ଗାନ୍ଧୀଙ୍କ ଆଗମନର ଶତବାର୍ଷିକୀ ପୂର୍ତ୍ତି ଅବସର ଏହାକୁ ପାଳନ କରିବା ପାଇଁ ବିଭିନ୍ନ ସଂଗଠନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଇତି ମଧ୍ୟରେ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନ ସମୟରେ ଏକ ନିଆରା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । 1921 ମାର୍ଚ୍ଚ 27 ତାରିଖରେ ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିବା ତଥ୍ୟ ଜଣାପଡିଛି ।
ମହାତ୍ମା ଗାନ୍ଧୀ ମହାପ୍ରଭୁଙ୍କ ଦର୍ଶନ କେବେ ବି କରି ନଥିବା ଆଜି ପର୍ଯ୍ୟନ୍ତ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଥିଲା । ତେବେ ସେ ମହାପ୍ରଭୁଙ୍କ ଦର୍ଶନ କରିଥିବା ଗୁଜୁରାଟର କୌଳିକ ପଣ୍ଡା ରଘୁନାଥ ଗୋଛିକାର ତଥ୍ୟ ଦେଇଛନ୍ତି । ତାଙ୍କ ଯାତ୍ରୀ ଦସ୍ତଖତ ରେଜିଷ୍ଟ୍ରାରରେ ମହାପ୍ରଭୁଙ୍କ ଦର୍ଶନ ପରେ ମହାତ୍ମା ଗାନ୍ଧୀ ତାଙ୍କ ଅନୁଭୂତି ଲେଖିଥିବା ଗୁଜୁରାଟ କୌଳିକ ପଣ୍ଡା ରଘୁନାଥ କହିଛନ୍ତି ।
ତେବେ ଗାନ୍ଧୀଜୀ ଏକା ନୁହଁନ୍ତି, ପତ୍ନୀ କସ୍ତୁରବା ଓ ତାଙ୍କ ବଡ଼ ପୁଅଙ୍କ ସହ ଗର୍ଭଗୃହ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ତାର ପ୍ରମାଣକୁ ବି ସାଇତି ରଖିଛନ୍ତି ଗାନ୍ଧି ପରିବାରର କୌଳିକ ପଣ୍ଡା ତଥା ଗୁଜରାଟ ଯାତ୍ରୀପଣ୍ଡା ରଘୁନାଥ । ସେହି ନଥିରେ ଉଲ୍ଲେଖ ରହିଛି ଯେ ଗାନ୍ଧିଙ୍କ ଶ୍ରୀଜଗନ୍ନାଥ ଦର୍ଶନର ତାରିଖ-27 ମାର୍ଚ୍ଚ 1921 ।
ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଏଇ ଦସ୍ତଖତ ପୁସ୍ତିକାରେ ମହାତ୍ମା ଗୁଜୁରାଟୀ ଭାଷାରେ ତାଙ୍କ ଅନୁଭୂତି ଲେଖିଛନ୍ତି, ଦସ୍ତଖତ ବି କରିଛନ୍ତି । ଆଜିବି ସେଇଠି ରହିଛି ମହାତ୍ମାଙ୍କ ଶହେ ବର୍ଷ ତଳର ସେହି ଦୁର୍ମୁଲ୍ୟ ହାତ ଲେଖା ଓ ଦସ୍ତଖତ । ରଘୁନାଥଙ୍କ କହିବା ଅନୁଯାୟୀ, ଏହା ତାଙ୍କ ଜେଜେ ଗୋପୀନାଥ ଗୋଚ୍ଛିକାରଙ୍କ ସମୟର କଥା ଯାହାକୁ ସେ ଆଜି ଯାଏ ସାଇତି ରଖିଛନ୍ତି ।
1921 ମାର୍ଚ୍ଚ 23 ତାରିଖରେ ପ୍ରଥମ ଥର ପାଇଁ ଓଡିଶା ଆସି 26ରୁ 28 ପର୍ଯ୍ୟନ୍ତ ପୁରୀରେ ରହିଥିଲେ ବାପୁଜୀ । ଏହି ସମୟରେ ପୁରୀ ବଡଦାଣ୍ଡରେ ଗାନ୍ଧିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏପରିକି ବାପୁ ଓ କସ୍ତୁରବାଙ୍କୁ ପାଛୋଟି ନେବାକୁ ଗଜପତିଙ୍କ ହାତୀ, ଘୋଡ଼ା, ଛତା ଓ ଛତ୍ରୀର ଆୟୋଜନ କରାଯାଇଥିବା କୁହନ୍ତି ରଘୁନାଥ । ପୁରୀରେ ଗାନ୍ଧିଜୀ ତିନିଦିନ ଅବସ୍ଥାନ କାଳରେ ଦ୍ବିତୀୟ ଦିନ ଅର୍ଥାତ୍ 27 ତାରିଖରେ ମହାତ୍ମା ଗାନ୍ଧି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ