ପୁରୀ: ମାଘମେଳାରେ ଚନ୍ଦ୍ରଭାଗାରେ ବୁଡ ପକାଇପାରିବେନି ଶ୍ରଦ୍ଧାଳୁ । କୋରୋନା କଟକଣାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଇଲା ପ୍ରଶାସନ । ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଆଜି ଅପରାହ୍ନ ୪ଟା ଠାରୁ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ତଥା ନୀତିକାନ୍ତି ସମ୍ପର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
ମାଘମେଳାରେ ଚନ୍ଦ୍ରଭାଗାରେ ବୁଡ ପକାଇବା ନିମନ୍ତେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଜମେ । ତେବେ ଭିଡ ହେଲେ କୋରୋନା ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି । ଏହି ସମୟ ମଧ୍ୟରେ ନୀତିକାନ୍ତି ସହ ଜଡିତ ସେବାୟତ, ଦାୟିତ୍ବରେ ଥିବା ସରକାରୀ ଅଧିକାରୀ, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ପ୍ରବେଶ ଅନୁମତି ରହିଛି ।
ଏନେଇ ଉପଜିଲ୍ଲାପାଳ ଭବତାରଣ ସାହୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଉକ୍ତ ନିର୍ଦ୍ଦେଶନାମା କଡାକଡି ପାଳନ ନିମନ୍ତେ ସଂପୃକ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ