ପୁରୀ: ମହାପ୍ରଭୁଙ୍କର ବାର ମାସରେ ତେର ପର୍ବ । ସେଥି ମଧ୍ୟରୁ କୁମାର ପୂର୍ଣ୍ଣିମାରେ ମଧ୍ୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ତେବେ କୁମାର ପୂର୍ଣ୍ଣିମା ଅବସରରେ ବିଶେଷ ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ଓ ପ୍ରଭୁ ନାରାୟଣଙ୍କ ଭିତରେ ଦ୍ୟୁତ କ୍ରୀଡା ତଥା ଜୁଆ ଖେଳ ହୋଇଥାଏ । ସନ୍ଧ୍ୟା ଧୂପ ପରେ ଭିତରଚ୍ଛ ମହାପାତ୍ର, ମୁଦିରସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀଙ୍କ ପ୍ରତିନିଧି ରୂପେ କଉଡ଼ି ଖେଳିବେ ।
ମହାପ୍ରଭୁ ଏହି ଦ୍ୟୁତ କ୍ରୀଡାରେ ହାରି ଯାଆନ୍ତି । ଶେଷରେ ମହାପ୍ରଭୁ ଲକ୍ଷ୍ମୀଙ୍କ ନିକଟରେ ବନ୍ଧା ପଡିବେ । ଖେଳରେ ହାରିବା ପରେ ଆଜି ଠାରୁ 7 ଦିନ ଯାଏଁ ମହାପ୍ରଭୁ ରତ୍ନ ସିଂହାସନ ଛାଡି ଲକ୍ଷ୍ମୀଙ୍କ ଜଗ ମୋହନରେ ରହିବେ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ବନ୍ଧା ପଡନ୍ତି । ଅଷ୍ଟମୀ ତିଥିରେ ଅବକାଶ ପୂଜା ପରେ ମହାପ୍ରଭୁ ରତ୍ନ ସିଂହାସନରେ ପୁନର୍ବାର ବିଜେ କରିବେ । ତେବେ ଏହି ନୀତି ମାଧ୍ୟମରେ ମହାପ୍ରଭୁ ସମସ୍ତଙ୍କୁ ସଚେତନ କରେଇଥାନ୍ତି । ଯେତେ ପ୍ରଭାବଶାଳୀ ଲୋକ କେହି ହୁଅନ୍ତୁ ନା କାହିଁ ଜୁଆ ଖେଳ ଖେଳିଲେ ନିଜର ଅଧପତନ ହୋଇଥାଏ ବୋଲି ଜଣାଯାଏ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ