ପୁରୀ: ପୂଣ୍ୟତୀର୍ଥ, ପୂର୍ଣ୍ଣତାର କ୍ଷେତ୍ର ନିଳାଚଳ ଧାମ ପୁରୀ । ଯେଉଁଠି ପ୍ରାପ୍ତ ହୁଏ ଚତୁବର୍ଗ ଫଳ । ସୃଷ୍ଟିର ବିଲୋପ ଘଟିଲେ ବି, ଲୋପ ନାହିଁ ଏ ଧାମର । ମୁକ୍ତି ପାଇଁ ପାପୀଟିଏ ଧାଇଁଆସେ କାଳିଆ ଦୂଆରକୁ, ତପୀଟିଏ ବି ଧାଇଁଆସେ କାଳିଆ ଦୂଆରକୁ । ଯଦି ଶ୍ରୀମନ୍ଦିର ହୁଏ ସ୍ବର୍ଗଧାମ ତେବେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ହେବ ନିଳାଚଳିଆର ଚାରି ଦ୍ବାର । ସେଥିପାଇଁ ପାପୀ, ତପୀ ପାଇଁ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣରେ ଖୋଲା କାଳିଆର ଚାରି ଦ୍ବାର । ଏ ଚାରି ଦ୍ବାରର ମଧ୍ୟ ରହିଛି ସ୍ବତନ୍ତ୍ରତା । ସିଂହଦ୍ବାର, ଅଶ୍ବଦ୍ବାର, ବ୍ୟାଘ୍ର ଦ୍ବାରା ଓ ହସ୍ତୀ ଦ୍ବାର ବୋଲାଉଥିବା ଏହି ଚାରି ଦ୍ବାରର ମାହାତ୍ମ୍ୟ ନିଗୁଢ ତତ୍ତ୍ବରେ ଆଚ୍ଛନ୍ନ ।
ସିଂହ ଦ୍ବାର
ଶ୍ରୀମନ୍ଦିରର ପୂର୍ବଦ୍ବାର ବା ପ୍ରବେଶ ଦ୍ବାରକୁ କୁହାଯାଏ ସିଂହ ଦ୍ବାର । କେହି କେହି ଏହାକୁ ସିଂହୀ ଦ୍ବାର ମଧ୍ୟ କହନ୍ତି । ମନ୍ଦିର ସମ୍ମୁଖରେ ଦଶ ଅବତାର ସାଙ୍ଗକୁ ଜୟ ବିଜୟଙ୍କ ମୂର୍ତ୍ତି ରହିଛି । ଏହି ଜୟ ବିଜୟ ଭଗବାନ ବିଷ୍ଣୁଙ୍କ ସାକ୍ଷାତ ସ୍ବରୂପ । ସେହିପରି ଏହିଦ୍ବାରକୁ ମଧ୍ୟ ପିତୃଲୋକଙ୍କ ଦ୍ବାର କୁହାଯାଏ । ସିଂହ ଦ୍ବାରରେ ପ୍ରବେଶ କରି ବାଇଶି ପାହାଚରେ ପିତୃ ପୁରୁଷଙ୍କୁ କୈବଲ୍ୟ, ନୈବେଦ୍ୟ ଏବଂ ଶ୍ରାଦ୍ଧ ଦିଆଯାଇଥାଏ ।
ବ୍ୟାଘ୍ର ଦ୍ବାର
ଶ୍ରୀମନ୍ଦିରର ଦକ୍ଷିଣ ଦ୍ବାର ବ୍ୟାଘ୍ର ଦ୍ବାର ନାମରେ ବିଦିତ, ଯେଉଁଦ୍ବାର ଦେଇ ତାନ୍ତ୍ରିକ ବା ସାଧକ କିମ୍ବା ଯେଉଁମାନେ ବିଭିନ୍ନ କାମନା କରିଥାନ୍ତି ସେମାନେ ଏହିଦ୍ବାର ଦେଇ ପ୍ରବେଶ କରିବାକୁ ଚାହିଁଥାନ୍ତି ।
ହସ୍ତି ଦ୍ବାର
ମହାପ୍ରଭୁଙ୍କ ଉତ୍ତର ଦ୍ବାର ବା ହସ୍ତି ଦ୍ବାର ନାମରେ ଯାହା ଖ୍ୟାତ ତାକୁ ମଧ୍ୟ କୁହାଯାଏ ଚେମିଡି ଦ୍ବାର । ମୋକ୍ଷ୍ୟ ପ୍ରାପ୍ତର ମାର୍ଗ ଏହି ଦ୍ବାର । ନବକଳେବର ସମୟରେ ଯେଉଁ ଦାରୁ ଆସିଥାଏ, ତାହା ଉତ୍ତର ଦ୍ବାର ଦେଇ ଶ୍ରୀମନ୍ଦିରକୁ ଯାଇଥାଏ । କୁହାଯାଏ ଯେ, ସନ୍ଧ୍ୟା ସମୟରେ ଅନ୍ୟ ୩୩ କୋଟି ଦେବାଦେବୀ ମହାପ୍ରଭୁଙ୍କ ନିକଟକୁ ଉତ୍ତର ଦ୍ବାର ଦେଇ ଯାଇଥାନ୍ତି । ତେଣୁ ସନ୍ଧ୍ୟା ସମୟରେ ଏହି ଦ୍ବାର ବନ୍ଦ ରହିବା ସହ ଏହାକୁ ଦେବଯାନ ମାର୍ଗ କୁହାଯାଏ ।
ଅଶ୍ବ ଦ୍ବାର
ଦକ୍ଷିଣରେ ରହିଛି ମହାପ୍ରଭୁଙ୍କ ଅଶ୍ବ ବା ଘୋଡା ଦ୍ବାର । କୁହାଯାଏ ଯେ, କାଞ୍ଚି ବିଜୟ ସମୟରେ ଗଜପତି ମହାରାଜାଙ୍କୁ ସାହାଯ୍ୟ କରିବା ପାଇଁ ମହାପ୍ରଭୁ, କଳା-ଧଳା ଘୋଡା ଚଢି ଯାଇଥିଲେ । ଏହିଦ୍ବାରେ ପ୍ରବେଶ କରି ଯେଉଁମାନେ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି, ସେମାନଙ୍କୁ ପ୍ରାଚୁଯ୍ୟ, ଅର୍ଥ, ଦିଗବିଜୟ ଆଦି ପ୍ରଦାନ ହୋଇଥାଏ । ତେଣୁ ନରେଶ ବା ରାଜା ମହାରାଜାମାନେ ଅଶ୍ବଦ୍ବାର ଦେଇ ପ୍ରବେଶ-ପ୍ରସ୍ଥାନ କରିଥାନ୍ତି । ମୋକ୍ଷର ମନ୍ଦିର ଶ୍ରୀମନ୍ଦିର । ଚତୁର୍ବର୍ଗ ଫଳପ୍ରାପ୍ତିର ପ୍ରତୀକ ଏହି ଚାରିଦ୍ବାର ।
ଇଟିଭି ଭାରତ, ପୁରୀ