ପୁରୀ: ଭାରତ ବର୍ଷର ଚାରି ଧାମ ମଧ୍ୟରୁ ଜଗନ୍ନାଥ ଧାମ ଶ୍ରୀମନ୍ଦିରରେ ରହିଛି ବିଶେଷତ୍ତ୍ବ । ସନାତନ ଧର୍ମର ପ୍ରଚାର ପ୍ରସାର ଆରମ୍ଭ ହୁଏ ଏହି ଧାମରୁ । ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥମାନେ ଆସି ଏହି ଧାମରେ ଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମର ଏକ ପରିଚୟ ସୃଷ୍ଟି କରିଛନ୍ତି । ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସହ ସାଧୁ-ସନ୍ଥ ନିର୍ମାଣ କରଥିବା ମଠର ସାମଞ୍ଜସ୍ୟରୁ ଏହା ସ୍ପଷ୍ଟ । ପୁରୀର ପ୍ରାଚୀନ ମଠ ସଂସ୍କୃତି, ଶ୍ରୀମନ୍ଦିରର ନୀତିକାନ୍ତି ସହ ଓତପ୍ରୋତ ଭାବେ ଜଡିତ । ରଥଯାତ୍ରା ସମୟରେ କେଉଁ ମଠ ମହାପ୍ରଭୁଙ୍କ ଆଲଟ ଚାମର ସେବା କରନ୍ତି ତ ଆଉ କେଉଁ ମଠ ତିନିଠାକୁର ଅଣସରର ଥିବାବେଳେ ଫୁଲୁରି ତେଲ ଯୋଗାନ୍ତି ।
ରାଘବ ଦାସ ମଠ
ରଥଯାତ୍ରା ଅୟମାରମ୍ଭ ପୂର୍ବରୁ ଶ୍ରୀମନ୍ଦିରର ଅଣସର ପିଣ୍ଡିରେ ଗୋଟିଏ କଠାର କନକମୁଣ୍ଡି ଓ ପ୍ରଭା ଏହି ମଠ ଯୋଗାଇଥାଏ । ଅଣସର ବିଧି ସମୟରେ ରାଘବ ଦାସ ମଠ ଠାକୁରଙ୍କ ଉଦ୍ଦେଶ୍ୟରେ ପଣା ଓ ଚକଟା ଭୋଗ ଓ ଖଞ୍ଜା ମୁତାବକ ସେର ରାଶି ତେଲ ଯୋଗାଇଥାନ୍ତି । ଶ୍ରୀଗୁଣ୍ଡିଚା ପୂର୍ବ ଦିନ ମଠ ପକ୍ଷରୁ ଜଗନ୍ନାଥ ଓ ବଳଭଦ୍ରଙ୍କ ପହଣ୍ଡିରେ ଆବଶ୍ୟକ ଦୁଇ ଗୋଟି ବିଜେ ତୁଳୀ ଦିଆଯାଏ । ଏହା ବ୍ୟତୀତ ସେନାପଟା ଲାଗି ନୀତି ପାଇଁ ମଠ ଶୁକ୍ଳ ସଜ ଯୋଗାଇଥାନ୍ତି । ଶ୍ରୀଗୁଣ୍ଡିଚା ଦିନ ରଥକୁ ବିଜେ କରିବା ସମୟରେ ଶ୍ରୀମନ୍ଦିରର ସାତ ପାହାଚ ଠାରେ ଶ୍ରୀବିଗ୍ରହମାନେ ଶ୍ରୀମସ୍ତକରେ ଯେଉଁ ଟାହିୟା ଧାରଣ କରିଥାନ୍ତି, ତାହା ରାଘବ ଦାସ ମଠ ଯୋଗାଇଥାନ୍ତି । ବାଉଁଶ ପାତିଆ, ସୋଲ, ବିଭିନ୍ନ ପୁଷ୍ପ, ତୁଳସୀ, ଦୁବ ଇତ୍ୟାଦି ସାମଗ୍ରୀରେ ଏକ ସ୍ବତନ୍ତ୍ର ଶୈଳୀରେ ନିର୍ମିତ ୪ ଗୋଟି ବଡ଼ ଟାହିୟା ଏହି ମଠ ଯୋଗାଇଥାନ୍ତି।
ଗୋବର୍ଦ୍ଧନ ମଠ
ରଥଯାତ୍ରା ଦିନ ଶ୍ରୀମନ୍ଦିର ବାଇଶି ପାହାଚ ସଂଲଗ୍ନ କାଶୀ ବିଶ୍ବନାଥ ମନ୍ଦିର ନିକଟନ୍ତ ମଠର ସରଘର ଠାରେ ଗୋବର୍ଦ୍ଧନ ମଠ ପକ୍ଷରୁ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ସମୟରେ ପନ୍ତି ଭୋଗ ହୋଇଥାଏ । ରଥଯାତ୍ରା ଦିନ ଠାକୁରମାନେ ରଥାରୂଢ଼ ହେବା ପରେ ମଠର ମଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପରମ୍ପରା ଅନୁଯାୟୀ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିଥାନ୍ତି ।
ଶଙ୍କରାନନ୍ଦ ମଠ
ରଥଯାତ୍ରା ଓ ନୀଳାଦ୍ରି ବିଜେ ସମୟରେ ମଠ ପକ୍ଷରୁ ଶ୍ରୀମନ୍ଦିରର ଭିତର ବେଢ଼ାରେ ଠାକୁର ମାନଙ୍କ ଉଦ୍ଦେଶ୍ୟରେ ପନ୍ତି ବୋଗ କରିବା ସହ ବାହୁଡ଼ା ଦିନ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାରଠାରେ ମଠ ପକ୍ଷରୁ 4ଟି ପନ୍ତି ଭୋଗ ହୋଇଥାଏ ।
ଜଟିଆ ବାବାଜୀ ମଠ
ଏହି ମଠ ପୁରୀର ଜଟିଆ ବାବା ମଠ ଜରିଆରେ ୨ଟି ବିଜେ ଡୋରି ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ପ୍ରଦାନ କରିଥାନ୍ତି।
ବଡ଼ ଓଡ଼ିଆ ମଠ
ରାଘବ ଦାସ ମଠ ଭଳି ବଡ଼ ଓଡ଼ିଆ ମଠ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ପ୍ରତ୍ୟକ୍ଷ ଭାବେ ଜଡି଼ତ ରହିଥାନ୍ତି । ଅଣସର ବିଧି ସମୟରେ ବଡ଼ ଓଡ଼ିଆ ମଠ ତରଫରୁ ଚକଟା ଭୋଗ ଓ ଅଣସର ପାଞ୍ଚମୀ ବା ଫୁଲୁରି ଲାଗି ନୀତି ପାଇଁ 2ଟି କୁଡୁଆରେ 5 ସେର ରାଶି ତେଲ ଯୋଗାଇଥାନ୍ତି।
ଛାଉଣୀ ମଠ
ରଥଯାତ୍ରା ଦିନ ଶ୍ରୀମନ୍ଦିରର ବଣିଆ ସେବକମାନଙ୍କ ଘରୁ ସୋଲ ଚିତା ଅଣାଯାଇ ଏହି ମଠର ବିଜେ ସ୍ଥଳି ଠାରେ ରଖାଯାଇଥାଏ। ଠାକୁରମାନେ ରଥାରୂଢ଼ ହେବାପରେ ଏହି ସୋଲ ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଲଗାଯାଇଥାଏ।
ମହୀପ୍ରକାଶ ମଠ
ଶ୍ରୀମନ୍ଦିର ସ୍ବତ୍ତ୍ବଲିପିର ଉଲ୍ଲେଖ ପ୍ରକାରେ ଅଣସର ସମୟରେ ଏହି ମଠ ମଇଲମ ଓ ଚକଡ଼ା ଭୋଗ ଯୋଗାଇଥାନ୍ତି । ଏହାଛଡ଼ା ଅନ୍ୟାନ୍ୟ ମଠମାନ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଭିନ୍ନ ଭିନ୍ନ ସେବା ଯୋଗାଇଦିଅନ୍ତି । ତେବେ ଇତିହାସ ଅବଲୋକନ କଲେ ଜଣାଯାଏ ଶ୍ରୀକ୍ଷେତ୍ରକୁ ଅନେକ ମହାପୁରୁଷ, ସନ୍ୟାସୀ, ସାଧୁ ଆସି ମହାପ୍ରଭୁଙ୍କ ସେବା ପାଇଁ ମଠ ସ୍ଥାପନ କରିଥିଲେ। ଦଶମ ଶତାବ୍ଦୀରୁ ବିଭିନ୍ନ ବିଶିଷ୍ଟ ସାଧୁ ସନ୍ଥଙ୍କ ଆଗମନ ହୋଇଥିଲା। ସପ୍ତମ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ରରେ ପ୍ରଥମେ ମଠ ସ୍ଥାପନ କରି ମଠ ସଂସ୍କୃତିର ମୂଳଦୁଆ ରଖିଥିଲେ । ପୁରୀକୁ ଆସିଥିବା ବିଶିଷ୍ଟ ସାଧୁ ସନ୍ଥଙ୍କ ମଧ୍ୟରେ ଅଛନ୍ତି ଶଙ୍କରାଚାର୍ଯ୍ୟ, ରାମାନୁଜ, ମାଧବାଚାର୍ଯ୍ୟ, ଶ୍ରୀଚୈତନ୍ୟ, ନିମ୍ବାର୍କ, ବଲ୍ଳବାଚାର୍ଯ୍ୟ, କବୀର, ନାନକ, ଜୟଦେବ, ରାୟ ରାମାନନ୍ଦ । ତେବେ ଶ୍ରୀକ୍ଷେତ୍ରକୁ ମଣ୍ଡିତ କରିଥିବା ବିଭିନ୍ନ ମଠ ରଥଯାତ୍ରା ବ୍ୟତୀତ ଅନ୍ୟାନ୍ୟ ନୀତିକାନ୍ତିରେ ମଧ୍ୟ ସହଯୋଗ କରିଥାନ୍ତି ।
ଇଟିଭି ଭାରତ, ପୁରୀ