ETV Bharat / city

ଚକାନୟନଙ୍କ ନେତ୍ରୋତ୍ସବ ସହ ନବଯୌବନ ଦର୍ଶନ - ଠାକୁରଙ୍କୁ ଜ୍ବର

ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ ପରେ ଜ୍ବରରେ ପଡ଼ି ଅଣସର ଘରେ ରୁହନ୍ତି ତିନି ଠାକୁର । ତେବେ ଜ୍ବରରୁ ସୁସ୍ଥ ହେବା ପରେ ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ନୀତି ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା...

Netrotsava and nabayovan darshan, Netrotsava, nabayovan darshan, 2 special ritual of sri jagannath, anasara, ନେତ୍ରୋତ୍ସବ, ନବଯୌବନ ଦର୍ଶନ, ସ୍ନାନଯାତ୍ରା, ରଥଯାତ୍ରା, ଅଣସର ପିଣ୍ଡି,  ତଚ୍ଚକ୍ଷୁ, ଠାକୁରଙ୍କୁ ଜ୍ବର
ଚକାନୟନଙ୍କ ନେତ୍ରୋତ୍ସବ ସହ ନବଯୌହନ ଦର୍ଶନ
author img

By

Published : Jul 9, 2021, 10:01 AM IST

Updated : Jul 9, 2021, 12:17 PM IST

ପୁରୀ: କଳାଶ୍ରୀମୁଖରେ ଶୂନ୍ୟ ଅନ୍ତରୀକ୍ଷରେ ଚନ୍ଦ୍ରସୂର୍ଯ୍ୟ ତୁଲ୍ୟ ବର୍ତ୍ତୁଳାକାର ଆଖି ଦୁଇଟି ଝଟିକି ଉଠେ । ଆଉ ସେ ଆଖି ଦୁଇଟି ସାରା ଜଗତକୁ ଅନାଇ ରହିଛି । ଆଉ ସାରା ଜଗତର ଆଖି ଲାଖିଯାଉଛି କାଳିଆ ସାଆନ୍ତଙ୍କ ଆଖିକୁ ଦେଖି । ସେଇ ନେତ୍ର ପାଇଁ ତ ଅଣସର ପରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ନେତ୍ରୋତ୍ସବ । ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ ପରେ ଜ୍ବରରେ ପଡ଼ି ଅଣସର ଘରେ ରୁହନ୍ତି ତିନି ଠାକୁର । ତେବେ ଜ୍ବରରୁ ସୁସ୍ଥ ହେବା ପରେ ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ହୋଇଥାଏ ।

ଚକାନୟନଙ୍କ ନେତ୍ରୋତ୍ସବ ସହ ନବଯୌବନ ଦର୍ଶନ

ଠାକୁରମାନଙ୍କୁ ଅର୍ଦ୍ଧ-ସମାନ୍ତର ସ୍ଥିତିରେ ରଖାଯାଇ ସେମାନଙ୍କୁ ଉପଯୁକ୍ତ ଭାବେ ଚିତ୍ରିତ କରାଯାଏ । ଏହି ସେବା ସରିବାପରେ ନେତ୍ରୋନ୍ମୀଲନ ନୀତି ପାଳିତ ହୁଏ । ଏଥିରେ ପ୍ରତ୍ୟେକ ଠାକୁରଙ୍କ ଉଭୟ ଚକ୍ଷୁରେ ତୁଳସୀ ପତ୍ର ସାହାଯ୍ୟରେ ଔଷଧୀ ପ୍ରୟୋଗ କରାଯାଇଥାଏ । ଏତଦପରେ କଜ୍ୱଳ ଲାଗି କରାଯାଏ । ଶ୍ରୀମନ୍ଦିରର ଦତ୍ତ ମହାପାତ୍ର ସେବକମାନେ ନେତ୍ରୋତ୍ସବ ସାମଗ୍ରୀ ଆଣି ପାରମ୍ପରିକ ଦ୍ରବ୍ୟରେ ପ୍ରସ୍ତୁତ ରଙ୍ଗରେ ମହାପ୍ରଭୁଙ୍କ ନେତ୍ରକୁ ଚିତ୍ରଣ କରନ୍ତି । ଏହି ନେତ୍ର ଅଙ୍କନର ଏକ ସ୍ବତନ୍ତ୍ର ମନ୍ତ୍ର ରହିଛି । ନୀଳାଦ୍ରି ମହୋଦୟ ଅନୁସାରେ ନାନା ବାଦ୍ୟ ଧ୍ବନି ମଧ୍ୟରେ ପୂଜକ ଠାକୁରଙ୍କ ନିକଟକୁ ଯାଇ ‘ତଚ୍ଚକ୍ଷୁ’ ମନ୍ତ୍ରରେ ସେମାନଙ୍କ ନେତ୍ରପଦ୍ମରେ ଦୁଇଟି ନେତ୍ର ଅଙ୍କନ କରନ୍ତି ।

ତଚ୍ଚକ୍ଷୁ ମନ୍ତ୍ର ହେଉଛି ଯଜୁର୍ବେଦର ଏକ ମନ୍ତ୍ର । ଏହାର ତାତ୍ପର୍ଯ୍ୟ ହେଉଛି ‘‘ହେ ପ୍ରଭୁ! ଆପଣଙ୍କର ଚକ୍ଷୁ ହେଉଛି ଶୁଦ୍ଧ ସୂର୍ଯ୍ୟମଣ୍ଡଳ ସ୍ବରୂପ, ନିତ୍ୟଚକ୍ଷୁ । ଏହି ନେତ୍ର ଦେବତାମାନଙ୍କର ହିତକାରୀ । ଆପଣଙ୍କ କୃପାରୁ ସେହି ନିତ୍ୟଚକ୍ଷୁର ଆଲୋକ ଦ୍ବାରା ଆମେ ଶହେ ବର୍ଷ ଦେଖିବା ପାଇଁ ସକ୍ଷମ ହେଉ ।’’

ନେତ୍ରୋନ୍ମୀଲନ ପରେ ଶ୍ରୀଜୀଉମାନଙ୍କର କ୍ଷୁଧା ଫେରିଥାଏ ଏବଂ ସ୍ନାନଯାତ୍ରା ପରେ ସେମାନେ ପ୍ରଥମଥର ପାଇଁ ରାଜଭୋଗ ଗ୍ରହଣ କରିଥାନ୍ତି ।

ନେତ୍ରୋତ୍ସବ ପରେ ମହାପ୍ରଭୁ ଭକ୍ତଙ୍କୁ ଦିଅନ୍ତି ଦର୍ଶନ । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ବଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । ବର୍ଷକୁ ଏଗାର ମାସ ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଅଣସର ପିଣ୍ଡିରେ ମହାପ୍ରଭୁ ନବ ଯୌବନ ଦର୍ଶନ ଦିଅନ୍ତି । ଆଉ ଏହି ଦର୍ଶନ ପାଇଁ ଭକ୍ତ ସାରା ବର୍ଷ ଅପେକ୍ଷା କରି ରହିଥାଏ । ତେବେ ନବଯୌବନ ଦର୍ଶନ ଦିନ ମହାପ୍ରଭୁଙ୍କ ଆଜ୍ଞା ମାଳ ନିଆଯାଇ ରଥଯାତ୍ରା ନିମନ୍ତେ ପ୍ରସ୍ତୁତ ହୋଇ ଥିବା ତିନି ଗୋଟି ରଥକୁ ରଥ ଖଳାରୁ ସିଂହ ଦ୍ବାର ସମ୍ମୁଖକୁ ଅଣାଯାଇଥାଏ । ଯାହା ପରେ ଆଷାଢ଼ ଦ୍ବାଦଶୀ ତିଥିରେ ଭାଇଭଉଣୀଙ୍କ ସହ ଗୁଣ୍ଡିଚା ଯାତ୍ରା କରନ୍ତି ମହାପ୍ରଭୁ ।

କୁହାଯାଏ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଯେଉଁମାନେ ଦର୍ଶନ କରନ୍ତି ସେମାନେ ଉତ୍ତମ ଗତି ପ୍ରାପ୍ତ କରନ୍ତି । ଭବସାଗରରୁ ପାରି ହେବାର ନୌକା ସେଇ ଚକାଡୋଳା ବୋଲି ବିଶ୍ବାସ କରେ ଭକ୍ତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 9, 2021, 12:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.