ପୁରୀ: ଆରମ୍ଭ ହେଲା ଧର୍ମ ମାସ । ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବହୁ ଗୁରୁତ୍ବ ରହିଛି । ଏହି ଅବସରରେ ପୁରୀରେ ହବିଷ୍ୟାଳିଙ୍କ ବ୍ରତ ଆରମ୍ଭ ହୋଇଛି । ସକାଳୁ ସ୍ନାନ ପରେ ଚଉଁରା ମୂଳେ ପୂଜା କରି କାର୍ତ୍ତିକ ବ୍ରତ ପାଇଁ ପ୍ରଥମେ ସଂକଳ୍ପ ନେବା ପରେ ବ୍ରତ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳି ଶିବିର ଖୋଲାଯାଇଛି । 3 ହଜାର ହବିଷ୍ୟାଳି ରହିବା ପାଇଁ 5 ଟି ସ୍ଥାନରେ ବ୍ୟବସ୍ଥା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମର ଶିବିରର ଉଦଘାଟନ କରିବେ । ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।
ଗତ ଦୁଇ ବର୍ଷ ହେବ କୋରୋନା ମହାମାରୀ ଯୋଗୁଁ ହବିଷ୍ୟାଳି ଶିବିର ବନ୍ଦ ରହିଥିଲା । କଟକଣା ଉଠିବା ପରେ ଚଳିତ ବର୍ଷ ପୁଣି ଶିବିର ଆରମ୍ଭ ହୋଇଛି । ଏନେଇ ହବିଷ୍ୟାଳି କହିଛନ୍ତି," ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧାଜନକ ବ୍ୟବସ୍ଥା ହେଇଛି । ତେଣୁ ଆମେ ଖୁସି ଅଛୁ । ଆନନ୍ଦରେ ମାସ ସାରା ବ୍ରତ ପାଳନ କରି ଜଗା ଦର୍ଶନ କରିବୁ ।" ପୁରୀ ବଡ ଦାଣ୍ଡ ସ୍ଥିତ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ନବ ନିର୍ମିତ ବହୁତଳ ପ୍ରାସାଦ ବୃନ୍ଦାବତି ନିବାସରେ 1600 ହବିଷ୍ୟାଳି ରହିବା ପାଇଁ ବ୍ୟବସ୍ଥା ରହିଛି । ସେହିପରି ମୋଚି ସାହି କଲ୍ୟାଣ ମଣ୍ଡପ, ଅକ୍ଷୟ ପାତ୍ର ଫାଉଣ୍ଡେସନର ଗୃହ ମଧ୍ୟ ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ: ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ଦିନ, ବ୍ରତ ଧରିଛନ୍ତି ବ୍ରତଧାରୀ
ତେବେ ହବିଷ୍ୟାଳି ଶିବିରରେ ଯଦି କିଛି ଲୋକ ନଆସନ୍ତି ତାଙ୍କ ସ୍ଥାନରେ ରେଜିଷ୍ଟ୍ରେସନ କରିନଥିବା ହବିଷ୍ୟାଳିଙ୍କୁ ରଖାଯିବ । ସେମାନଙ୍କ ରହିବା, ମହାପ୍ରସାଦ ସେବନ, ପୂଜାର୍ଚ୍ଚନା, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦୈନିକ ଦର୍ଶନରେ ଯେଭଳି କୌଣସି ଅସୁବିଧା ନ ହୁଏ ସେଥି ନିମନ୍ତେ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରଯାଇଛି । ସୁରକ୍ଷା ପାଇଁ ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ୱେଚ୍ଛାସେବୀ ରହିଛନ୍ତି । ହବିଷ୍ୟାଳିଙ୍କ ପାଇଁ ସମୁଦାୟ 5ଟି ସେଣ୍ଟର ଖୋଲାଯାଇଛି । ବିଭିନ୍ନ ଜିଲ୍ଲା ଅନୁଯାୟୀ ସେଣ୍ଟର ବିଭାଜନ ହୋଇଛି । ଯେଉଁ ହବିଷ୍ୟାଳିଙ୍କ ରେଜିଷ୍ଟ୍ରେସନ ହୋଇଛି ସେମାନଙ୍କୁ ମେସେଜ ଯାଇଛି । ନିଜ ପରିଚୟ ପତ୍ର ଦେଖାଇ ସେମାନେ ସେଣ୍ଟରେ ପ୍ରବେଶ କରୁଛନ୍ତି । 15 ଦିନର ରେଜିଷ୍ଟ୍ରେସନ ପ୍ରକ୍ରିୟା ରହିଥିଲା । ମୋଟ 3000 ସିଟରୁ ପ୍ରାୟ ପୂରଣ ହୋଇଯାଇଛି । ତେଣୁ ରେଜିଷ୍ଟ୍ରେସନ କରିନଥିବା ମହିଳାଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ପୁରୀ