ପୁରୀ: ଆଜି ମହାପ୍ରଭୁଙ୍କ ଘୋଡ ଲାଗି ନୀତି । ମହାପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରେ ପ୍ରାବରଣ ଷଷ୍ଠୀ ଉତ୍ସବ ହେଉଛି ଅନ୍ୟତମ ଲୀଳା ଉତ୍ସବ । ଯିଏ ପରମ ବ୍ରହ୍ମ ନିରାକାର ପରମାତ୍ମା ତାଙ୍କୁ ସାଧାରଣ ଜୀବମାନଙ୍କ ପରି ଶୀତ ଅନୁଭୂତ ହୁଏ । ସତରେ କଣ ଏହା ସମ୍ଭବ କି ? ଯା ଠାରୁ ସମସ୍ତ ସଂସାର ଉତ୍ପନ୍ନ ସେ ଛାର ଶୀତର ଅଧୀନ ହେବା ଆଶ୍ଚର୍ଯ୍ୟର କଥା ନୁହେଁ । ଋତୁ ମାନଙ୍କ ପ୍ରଭାବ ସଂସାରରେ ସମସ୍ତଙ୍କୁ ଉଣା ଅଧିକେ ଅନୁଭୂତ ହୁଏ । ଯାହାଦ୍ବାରା ପ୍ରକୃତିରେ ବିଭିନ୍ନ ପରିବର୍ତ୍ତନମାନ ହୋଇଥାଏ । ପ୍ରତ୍ୟେକ ଋତୁ ଗୁଡିକରେ କର୍ତ୍ତବ୍ୟକୁ ସମ୍ମାନ ଜଣାଇ ମହାପ୍ରଭୁଙ୍କ ଋତୁ ଅନୁଯାୟୀ ବେଶ ଓ ଉତ୍ସବ ଗୁଡିକ ଅନୁଷ୍ଠିତ ହୋଇଥାଏ । ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ ନାମରେ ପରିଚିତ । ଏହି ସମୟରୁ ଅଧିକ ଶୀତ ଅନୁଭୂତ ହେଉଥିବାରୁ ଏହି ଦିନୁ ମହାପ୍ରଭୁଙ୍କ ସହିତ ସବୁ ଦେବାଦେବୀଙ୍କ ଘୋଡଲାଗି ଅନୁଷ୍ଠିତ ହୋଇଥାଏ ।
ମହାପ୍ରଭୁଙ୍କ ଘୋଡ଼ଲାଗି ଆଜି ଠାରୁ ଆରମ୍ଭ ହୋଇ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ଏହା ମହାପ୍ରଭୁ ଜଗନ୍ନାଥଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଏହା ହେଉଛି ଅନ୍ୟତମ ଯାତ୍ରା । ସମସ୍ତ ସପ୍ତଧା ବିଗ୍ରହ ସହିତ ଶ୍ରୀକ୍ଷେତ୍ରର ସମସ୍ତ ଦେବାଦେବୀଙ୍କୁ ଘୋଡ଼ଲାଗି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ଏହି ଦିନ ନୂତନ ଘୋଡ଼ ପରିଧାନ କରିଥାନ୍ତି । ଏହି ଘୋଡ଼ଲାଗି ପ୍ରାବରଣ ଷଷ୍ଠୀରୁ ଆରମ୍ଭ ହୋଇ ସରସ୍ବତୀ ପୂଜା ପର୍ଯ୍ୟନ୍ତ ପାଳିତ ହୋଇଥାଏ । ସମସ୍ତ ଶିବାଳୟରେ ଓ ଦେବୀ ମନ୍ଦିରରେ ଘୋଡ଼ଲାଗି ପର୍ବ ଅନୁଷ୍ଠିତ ହୋଇଥାଏ । ଘୋଡ଼ ଅନ୍ୟ ନିତିଦିନ ବସ୍ତ୍ର ପରି ଏହା ବାରଲାଗି ବର୍ଣ୍ଣ ହୋଇଥାଏ । ସୋମବାର ଶୁକ୍ଳ, ମଙ୍ଗଳବାର ବାରପାଟିଆ(ପଞ୍ଚରଙ୍ଗି), ବୁଧବାର ସବୁଜ, ଗୁରୁବାର ପୀତ, ଶୁକ୍ରବାର ଧଳା ଛିଟା, ଶନିବାର କଳା ଓ ରବିବାର ନାଲି ରଙ୍ଗର ହୋଇଥାଏ । ପ୍ରତିବର୍ଷ ଏହା ନୂତନ ଭାବେ ନିର୍ମିତ କରାଯାଇଥାଏ । ଶୀତର ପ୍ରକୋପରୁ ରକ୍ଷା ପାଇଁ ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି ଅନୁଷ୍ଠିତ ହୋଇଥାଏ ।
ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିରରେ ପାଳିତ ହୋଇ ଥାଏ ଓଢଣ ଷଷ୍ଠୀ । ସେହି ଦିନ ଶୀତ ବସ୍ତ୍ର ପରିଧାନ କରିବେ ଶ୍ରୀବିଗ୍ରହ । ଏଣୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜି ସେବାୟତଙ୍କ ଦ୍ଵାରା ଶୀତ ବସ୍ତ୍ର ପ୍ରସ୍ତୁତ କରାଯାଇଛି । ଦରଜି ସେବାୟତ ପ୍ରକାଶ ମହାପାତ୍ରଙ୍କ ଦ୍ଵାରା ଠାକୁରଙ୍କ ଘୋଡ଼ ତିଆରି କରାଯାଇଛି । ପତନୀ , ଗୀତ ଗୋବିନ୍ଦ ପାଟ ଏବଂ ସୂତା ପୁଟା ରେ ଠାକୁରଙ୍କ ନୂତନ ବସ୍ତ୍ର ତିଆରି କରାଯାଇଛି । ଘୋଡ଼ ଲାଗି ବେଶ ପାଇଁ ଚତୁର୍ଦ୍ଧାମୂର୍ତିଙ୍କ ପାଇଁ 4ଟି ଘୋଡ଼ ତିଆରି କରାଯାଇଛି । ଏଥି ସହିତ ମଦନ ମୋହନ, ସୁଦର୍ଶନ, ଗରୁଡ଼ ,ପତିତପାବନ , ଗୁଣ୍ଡିଚା ମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ , ସୁର୍ଯ୍ୟଦେବ , ମୁକ୍ତି ମଣ୍ଡପ ପାର୍ଶ୍ଵରେ ବିରାଜିତ ନୃସିଂହ ମହାପ୍ରଭୁ , ଦକ୍ଷିଣ କାଳିକା ଓ କାକୁଡି ଖାଇ ଠାକୁରାଣୀଙ୍କ ପାଇଁ ମଧ୍ୟ ପୋଷାକ ତିଆରି ହୋଇଛି । ଶୀତ 4 ମାସ ଏହି ଘୋଡ଼ ଲାଗି ନୀତି ସମ୍ପାଦିତ ହେବ
।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ