ପୁରୀ: ଜୁନ 1 ତାରିଖରୁ ଶ୍ରୀମନ୍ଦିରର 75 ମିଟର ସୁରକ୍ଷା ଜାେନ ତଥା ଐତିହ୍ୟ କରିଡର ନେଇ କାର୍ଯ୍ୟ ଆରମ୍ଭ ହେବା ନେଇ ସମୟ ସୀମା ଧାର୍ଯ୍ୟ କରିଥିଲେ ରାଜ୍ୟ ସରକାର । କିନ୍ତୁ ଏହି ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ସମ୍ଭବ ହୋଇ ପାରିନାହିଁ । ଏବେବି ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇନଥିବାବେଳେ କାର୍ଯ୍ୟକୁ ନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇପାରିନାହିଁ ।
ସେପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ହେବ, ସେନେଇ ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ଲକଡାଉନ କଟକଣା ଯୋଗୁଁ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହେଉଥିବା ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ତେବେ ଆସନ୍ତା ଜୁନ 16 ରେ ଟେଣ୍ଡର ଖୋଲିବା ପରେ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହେବ । ସେହିପରି ଜମି ଅଧିଗ୍ରହଣ ପ୍ରକ୍ରିୟା 96 ପ୍ରତିଶତ ସରିଥିବାବେଳେ କେତେକ ବିସ୍ଥାପିତଙ୍କ ସହିତ ଏବେବି ପ୍ରଶାସନର ଆଲୋଚନା ଜାରି ରହିଛି ।
ଏସବୁ ପ୍ରକ୍ରିୟା ଲକଡାଉନ ଯୋଗୁଁ ବିଳମ୍ବିତ ହୋଇଛି । ଖୁବଶୀଘ୍ର ଜମି ଅଧିଗ୍ରହଣରେ ଥିବା ସମସ୍ୟାର ସମାଧାନ କରାଯାଇ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ ଏବଂ ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ