ପୁରୀ: ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ଜଗତ ଠାକୁର ଜଗନ୍ନାଥ । ଆଉ ଜଗନ୍ନାଥ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ପୁରୀର ପ୍ରାଚୀନ ମଠ ସଂସ୍କୃତି । ମହାପ୍ରଭୁଙ୍କ ବିଭିନ୍ନ ସେବା ସହ ଏହି ମଠ ମାନ ମଧ୍ୟ ଯୋଡ଼ି ହୋଇ ରହିଛନ୍ତି । ରଥଯାତ୍ରା ପହଣ୍ଡି ସମୟରେ ରାଧାବଲ୍ଲବ ମଠ ସମେତ ଅନ୍ୟ କେତେକ ମଠ ସେବା ଅଧିକାର ପାଇ ଥିବା ମଠାଧୀଶମାନେ ମହାପ୍ରଭୁଙ୍କ ଆଲଟ ଚାମର ସେବା କରନ୍ତି ।
ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଯେଉଁ ମଠ ମାନଙ୍କର ମୁଖ୍ୟ ଭୂମିକା ରହିଥାଏ ସେଗୁଡ଼ିକ ହେଲା ରାଘବ ଦାସ ମଠ, ଗୋବର୍ଦ୍ଧନ ମଠ, ଶଙ୍କରାନନ୍ଦ ମଠ, ଜଗନ୍ନାଥବଲ୍ଲଭ ମଠ, ରାଧବଲ୍ଲଭ ମଠ, ଜଟିଆ ବାବାଜୀ ମଠ, ବଡ଼ ଓଡ଼ିଆ ମଠ, ଛାଉଣୀ ମଠ, ମହୀପ୍ରକାଶ ମଠ, ଶ୍ରୀରାମ ଦାସ ମଠ, ଏମାର ମଠ, ନେବଳ ଦାସ ମଠ, ଗଙ୍ଗାମାତା ମଠ । ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ଯେଭଳି ବାଧା ନ ଉପୁଜେ ସେଥିପାଇଁ ଅନେକ ସମ୍ପତି ଏହି ମଠ ନାଁରେ ଖଞ୍ଜି ଦେଇ ଯାଇଛନ୍ତି ପୂର୍ବ ରାଜା ମହାରାଜା ମାନେ। ବିଶେଷ କରି ହିନ୍ଦୁ ଧର୍ମ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଏହି ମଠ ସ୍ଥାପନାର ମୂଳ ଉଦ୍ଦେଶ୍ୟ ।
ରାଘବ ଦାସ ମଠ
ରଥଯାତ୍ରା ଅୟମାରମ୍ଭ ପୂର୍ବରୁ ଶ୍ରୀମନ୍ଦିରର ଅଣସର ପିଣ୍ଡିରେ ଗୋଟିଏ କଠାର କନକମୁଣ୍ଡି ଓ ପ୍ରଭା ଏହି ମଠ ଯୋଗାଇଥାଏ । ଅଣସର ବିଧି ସମୟରେ ରାଘବ ଦାସ ମଠ ଠାକୁରଙ୍କ ଉଦ୍ଦେଶ୍ୟରେ ପଣା ଓ ଚକଟା ଭୋଗ ଓ ଖଞ୍ଜା ମୁତାବକ ସେର ରାଶି ତେଲ ଯୋଗାଇଥାନ୍ତି । ଶ୍ରୀଗୁଣ୍ଡିଚା ପୂର୍ବ ଦିନ ମଠ ପକ୍ଷରୁ ଜଗନ୍ନାଥ ଓ ବଳଭଦ୍ରଙ୍କ ପହଣ୍ଡିରେ ଆବଶ୍ୟକ ଦୁଇ ଗୋଟି ବିଜେ ତୁଳୀ ଦିଆଯାଏ। ଏହା ବ୍ୟତୀତ ସେନାପଟା ଲାଗି ନୀତି ପାଇଁ ମଠ ଶୁକ୍ଳ ସଜ ଯୋଗାଇଥାନ୍ତି। ଶ୍ରୀଗୁଣ୍ଡିଚା ଦିନ ରଥକୁ ବିଜେ କରିବା ସମୟରେ ଶ୍ରୀମନ୍ଦିରର ସାତ ପାହାଚଠାରେ ଶ୍ରୀବିଗ୍ରହମାନେ ଶ୍ରୀମସ୍ତକରେ ଯେଉଁ ଟାହିୟା ଧାରଣ କରିଥାନ୍ତି, ତାହା ରାଘବ ଦାସ ମଠ ଯୋଗାଇଥାନ୍ତି। ବାଉଁଶ ପାତିଆ, ସୋଲ, ବିଭିନ୍ନ ପୁଷ୍ପ, ତୁଳସୀ , ଦୁବ ଇତ୍ୟାଦି ସାମଗ୍ରୀରେ ଏକ ସ୍ବତନ୍ତ୍ର ଶୈଳୀରେ ନିର୍ମିତ ୪ ଗୋଟି ବଡ଼ ଟାହିୟା ଏହି ମଠ ଯୋଗାଇଥାନ୍ତି।
ଗୋବର୍ଦ୍ଧନ ମଠ
ରଥଯାତ୍ରା ଦିନ ଶ୍ରୀମନ୍ଦିର ବାଇଶି ପାହାଚ ସଂଲଗ୍ନ କାଶୀ ବିଶ୍ବନାଥ ମନ୍ଦିର ନିକଟନ୍ତ ମଠର ସରଘର ଠାରେ ଗୋବର୍ଦ୍ଧନ ମଠ ପକ୍ଷରୁ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ସମୟରେ ପନ୍ତି ଭୋଗ ହୋଇଥାଏ । ରଥଯାତ୍ରା ଦିନ ଠାକୁରମାନେ ରଥାରୂଢ଼ ହେବା ପରେ ମଠର ମଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପରମ୍ପରା ଅନୁଯାୟୀ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିଥାନ୍ତି।
ଶଙ୍କରାନନ୍ଦ ମଠ
ରଥଯାତ୍ରା ଓ ନୀଳାଦ୍ରି ବିଜେ ସମୟରେ ମଠ ପକ୍ଷରୁ ଶ୍ରୀମନ୍ଦିରର ଭିତର ବେଢ଼ାରେ ଠାକୁର ମାନଙ୍କ ଉଦ୍ଦେଶ୍ୟରେ ପନ୍ତି ବୋଗ କରିବା ସହ ବାହୁଡ଼ା ଦିନ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାରଠାରେ ମଠ ପକ୍ଷରୁ 4ଟି ପନ୍ତି ଭୋଗ ହୋଇଥାଏ ।
ଜଟିଆ ବାବାଜୀ ମଠ
ଏହି ମଠ ପୁରୀର ଜଟିଆ ବାବା ମଠ ଜରିଆରେ ୨ଟି ବିଜେ ଡୋରି ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ପ୍ରଦାନ କରିଥାନ୍ତି।
ବଡ଼ ଓଡ଼ିଆ ମଠ
ରାଘବ ଦାସ ମଠ ଭଳି ବଡ଼ ଓଡ଼ିଆ ମଠ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ପ୍ରତ୍ୟକ୍ଷ ଭାବେ ଜଡି଼ତ ରହିଥାନ୍ତି। ଅଣସର ବିଧି ସମୟରେ ବଡ଼ ଓଡ଼ିଆ ମଠ ତରଫରୁ ଚକଟା ଭୋଗ ଓ ଅଣସର ପାଞ୍ଚମୀ ବା ଫୁଲୁରି ଲାଗି ନୀତି ପାଇଁ 2ଟି କୁଡୁଆରେ 5 ସେର ରାଶି ତେଲ ଯୋଗାଇଥାନ୍ତି।
ଛାଉଣୀ ମଠ
ରଥଯାତ୍ରା ଦିନ ଶ୍ରୀମନ୍ଦିରର ବଣିଆ ସେବକମାନଙ୍କ ଘରୁ ସୋଲ ଚିତା ଅଣାଯାଇ ଏହି ମଠର ବିଜେସ୍ଥଳି ଠାରେ ରଖାଯାଇଥାଏ। ଠାକୁରମାନେ ରଥାରୂଢ଼ ହେବାପରେ ଏହି ସୋଲ ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଲଗାଯାଇଥାଏ।
ମହୀପ୍ରକାଶ ମଠ
ଶ୍ରୀମନ୍ଦିର ସ୍ବତ୍ତ୍ବଲିପିର ଉଲ୍ଲେଖ ପ୍ରକାରେ ଅଣସର ସମୟରେ ଏହି ମଠ ମଇଲମ ଓ ଚକଡ଼ା ଭୋଗ ଯୋଗାଇଥାନ୍ତି ।
ଏହାଛଡ଼ା ଅନ୍ୟାନ୍ୟ ମଠମାନ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଭିନ୍ନ ଭିନ୍ନ ସେବା ଯୋଗାଇଦିଅନ୍ତି ।
ତେବେ ଇତିହାସ ଅଵଲୋକନ କଲେ ଜଣାଯାଏ ଶ୍ରୀକ୍ଷେତ୍ରକୁ ଅନେକ ମହାପୁରୁଷ, ସନ୍ୟାସୀ, ସାଧୁ ଆସି ମହାପ୍ରଭୁଙ୍କ ସେବା ପାଇଁ ମଠ ସ୍ଥାପନ କରିଥିଲେ। ଦଶମ ଶତାବ୍ଦୀରୁ ବିଭିନ୍ନ ବିଶିଷ୍ଟ ସାଧୁ ସନ୍ଥଙ୍କ ଅଗାମନ ହୋଇ ଥିଲା। ସପ୍ତମ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ରରେ ପ୍ରଥମେ ମଠ ସ୍ଥାପନ କରି ମଠ ସଂସ୍କୃତିର ମୂଳଦୁଆ ରଖିଥିଲେ । ପୁରୀକୁ ଆସିଥିବା ବିଶିଷ୍ଟ ସାଧୁ ସନ୍ଥଙ୍କ ମଧ୍ୟରେ ଅଛନ୍ତି ଶଙ୍କରାଚାର୍ଯ୍ୟ, ରାମାନୁଜ, ମାଧବାଚାର୍ଯ୍ୟ, ଶ୍ରୀଚୈତନ୍ୟ, ନିମ୍ବାର୍କ, ବଲ୍ଳବାଚାର୍ଯ୍ୟ, କବୀର, ନାନକ, ଜୟଦେବ, ରାୟ ରାମାନନ୍ଦ ।
ଏଥିରୁ ସ୍ପଷ୍ଟ ଯେ ସାରା ଭାରତ ବର୍ଷରୁ ବିଭିନ୍ନ ସମ୍ପ୍ରଦାୟର ମହା ମନିଷୀମାନେ ଶ୍ରୀକ୍ଷେତ୍ରକୁ ଆଗମନ କରି ଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମର ପ୍ରଚାର ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ପୁରୀରେ ଅନେକ ମଠ ଥିଲେ ମଧ୍ୟ 26ଟି ମଠର ସମ୍ପର୍କ ଶ୍ରୀମନ୍ଦିର ନୀତି ଓ ସେବା ସହିତ ଜଡିତ ରହିଛି। କେବଳ ରଥଯାତ୍ରା କାହିଁକି ବର୍ଷ ସାରା ମହାପ୍ରଭୁଙ୍କ ବିଭିନ୍ନ ନୀତି ତଥା ବେଶ ସମୟରେ ପୁଷ୍ପହାର, ପଦକ, ସୋଲ, ଜରିର ସାଜସଜା, ରତ୍ନ ସିଂହାସନ ମାର୍ଜନା କରିବା, ଅଣସର ତାଟି ଓ ଚକଟା ଭୋଗ, ମଶାଲ ଜାଳିବା, ଚନ୍ଦନ କାଠ ଯୋଗାଇବା, ମହାପ୍ରଭୁଙ୍କ ପାଇଁ ଟାହିଆ ଦେବା, ଅଧର ପଣା, ବଲ୍ଲବ ଭୋଗ, ମାଳ, ଚୂଳ, ଆଦି ନିମନ୍ତେ ଆଵଶ୍ୟକ ଦ୍ରବ୍ୟ ମାନ ମଠ ପକ୍ଷରୁ ଯୋଗାଇ ଦିଆଯାଏ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ