ପୁରୀ: କୋରୋନା ଲାଗି ଦେଶସାରା ଲକ୍ଡାଉନ୍ । ଆଉ ଏହାର ପ୍ରଭାବ ମଧ୍ୟ କୃଷି ଉପରେ ପଡିଛି । ପୁରୀର କାକଟପୁର, ଅସ୍ତରଙ୍ଗ ଅଞ୍ଚଳରେ ପାନ ଚାଷ କରିଥିବା ହଜାର ହଜାର ଚାଷୀ ଏବେ ମାନସିକ ଚିନ୍ତାରେ । କୋରୋନା କଟକଣା ପରେ ସବୁ ବଜାର ଓ ଗାଡି ମଟର ବନ୍ଦ । ଫଳରେ ପାନ ବିକ୍ରି କରି ନପାରି ହଜାର ହଜାର ପାନ ଚାଷୀ ହତାଶ ହୋଇ ପଡିଛନ୍ତି ।
ପାନ ବିକ୍ରି ନ ହେଲେ କିଭଳି ରୋଜଗାର ହେବ, କିଭଳି ହାତ ଉଧାର ଆଣିଥିବା ଟଙ୍କା ସୁଜିବେ ଓ ପରିବାର କିଭଳି ପ୍ରତିପୋଷଣ କରିବେ ସେନେଇ ଚାଷୀ ଏବେ ଚିନ୍ତାରେ । ଗତ ମେ ମାସରେ ଫୋନି ବାତ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ସମ୍ମୁଖୀନ ହୋଇଥିଲେ ପୁରୀର ଏହି ପାନ ଚାଷୀ । ବର୍ଷେ ନ ପୁରୁଣୁ ପୁଣି ମହାମାରୀ କୋରୋନା କଟକଣା ସବୁ କିଛି ଉଜାଡି ଦେଇଛି ।
ଭାଙ୍ଗି ଦେଇଛି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ । ବିକ୍ରି ନହୋଇ ପାନ ନଷ୍ଟ ହେଉଥିବାବେଳେ ଚାଷୀ କେବଳ ଏହାକୁ ଦେଖି ଲୁହ ଗଡାଇବା ଛଡା ଆଉ କିଛି କରିପାରୁନି । ପୁରୀର କାକଟପୁର ଓ ଅସ୍ତରଙ୍ଗ ପାନ ବେଶ ପ୍ରସିଦ୍ଧ । ଏହା ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ଦେଶର ବିଭିନ୍ନ ଅଞ୍ଚଳକୁ ରପ୍ତାନି ହୋଇଥାଏ । କିନ୍ତୁ ମହାମାରୀ କୋରୋନା ସବୁ କିଛି ସାରି ଦେଇଛି । ଫଳରେ ସରକାର ଏମାନଙ୍କ ପାଇଁ କିଛି ଆର୍ଥିକା ସହାୟତା ଘୋଷଣା ନକଲେ ଶହ ଶହ ପାନ ଚାଷୀ ତଳିତଳାନ୍ତ ହୋଇଯିବେ ବୋଲି କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ