ପୁରୀ: ଶେଷ ହେଲା ତିନି ରଥର ଦୁଆର ବେଢା କାର୍ଯ୍ୟ । ରଥଯାତ୍ରା ପାଇଁ ରଥ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ତିନି ରଥର ମୋଟ ୧୨ ଗୋଟି ଦୁଆର ବେଢା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ରଥର ବେଦୀ ସମ୍ମୁଖ ଭାଗରେ ପଟ୍ଟା ଵାଡ଼ିଆ କାର୍ଯ୍ୟ ସରିଛି । ରଥର ଚାରି କୋଣଗୁଡିକୁ ଛାଡି ବେଦୀ ଚାରି ପାର୍ଶ୍ୱରେ ପଟ୍ଟା ପଡିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ।
ସେହିପରି ତିନି ରଥର ସିଂହାସନ ବେଦୀ ପ୍ରସ୍ତୁତ ପାଇଁ ଆଗଆଣି ପଛଆଣି ଦ୍ବୟ ଢମକ ଉପରେ ପାଞ୍ଚୋଟି 'ଜଗତପୃଷ୍ଠ ଶେଣୀ' ପଡ଼ିଛି । ଏହାପରେ ଉଭୟ ପାର୍ଶ୍ୱରେ ୩ଟି ଲେଖାଏଁ 'ବାହୁଟ ଫାଳିଆ' ପଡି ସିଂହାସନ ବେଦୀ ନିର୍ମାଣ ପାଇଁ ପତା ପଡିବ । ପ୍ରଭା ଫ୍ରେମ ନିର୍ମାଣ ଶେଷ ହୋଇଛି । ତିନି ରଥର ଶେଷ ହୋଇଥିବା ଦୁଆର ବେଢାରେ ଚିତ୍ରକର ସେବକମାନେ ରୂପ ଅଙ୍କନ ପାଇଁ ପ୍ରାଇମର ଦେଇଛନ୍ତି । ଏଥିସହ ରଥଗୁଡିକର ରୂପ ଖୋଦେଇ ଗୁଜ, ପଟ୍ଟା ଗୁଜଗୁଡିକରେ ରୂପଚିତ୍ର ଅଙ୍କନ କରୁଛନ୍ତି ।
ଏହା ବ୍ୟତୀତ ଶୁଆ, ଅଁଳା, ଋଷି ପଟ୍ଟାଗୁଡିକରେ ଋଷି ଚିତ୍ର ଅଙ୍କନ ଓ ୫ଟି ନାଟ ଗୋଡ଼ରେ ରୂପଚିତ୍ର ଅଙ୍କନ ଶେଷ କରାଯାଇ ଆଉ ୬ ଗୋଟି ନାଟ ଗୋଡ଼ରେ ରୂପଚିତ୍ର ଅଙ୍କନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପଟେ ଦୋଳ ବେଦୀରେ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ସିଂହାସନ ବେଦୀ ନିର୍ମାଣ କାର୍ଯ୍ୟ ପାଇଁ ଜଗତପୃଷ୍ଠ ଶ୍ରେଣୀ କଣ୍ଟା ୬ଟି ଲେଖାଁଏ ଯୋଗାଇବା ସହ ଦୁଆର ବେଢା କଣ୍ଟା, ସିଂହାସନ କଣ୍ଟା, ଧୂଳି ଦଣ୍ଡା କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ତିନି ରଥର ଦରଜି ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟକାୟ ଉପର ପ୍ରକୋଷ୍ଠରେ ତିନି ରଥର ୪ଟି ଲେଖାଁଏ ଦୁଆର ବେଢା ପାଇଁ କନା କଟିଙ୍ଗ ପରେ ବତା କାନା କଟିଙ୍ଗ ପାଇଁ ମାପ ଦାଗ ପକାଉଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ