ପୁରୀ: ରଥ ନିର୍ମାଣ ନେଇ ରାଜ୍ୟ ସରକାରଙ୍କ କୌଣସି ଅନୁମତି ଆସିପାରି ନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହେବା ପରେ ଦୁଇ ଦିନ ବିତିବାକୁ ବସିଥିବାବେଳେ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ବିଶ୍ବକର୍ମା ମହାରଣା ମାନେ ଆରମ୍ଭ କରି ପାରିନାହାନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି।
ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ପରେ ମଧ୍ୟ ରାଜ୍ୟ ସରକାର କାହିଁକି ଓ କାହାର ଚାପରେ ରଥ ନିର୍ମାଣ ନେଇ ଅନୁମତି ଦେଉନାହାନ୍ତି ସେନେଇ ପ୍ରଶ୍ନ କରିଛନ୍ତି ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର।
ରଥଯାତ୍ରାକୁ ନେଇ ରାଜ୍ୟ ସରକାରଙ୍କ ଏଭଳି ଲୁଚକାଳି ଖେଳକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ରଥଯାତ୍ରା ଆୟୋଜନ ବନ୍ଦ ନେଇ ଯଦି ପୂର୍ବରୁ ସରକାରଙ୍କ ଯୋଜନା ଥିଲା ତାହା ହେଲେ ଏତେ ଡ୍ରାମାବାଜି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେପଟେ ଆଜି ରଥ ନିର୍ମାଣ ନେଇ ଅନୁମତି ଆସି ନ ଥିବା ହେତୁ ଆଉ ରଥ ନିର୍ମାଣ ସମ୍ଭବ ନୁହେଁ। ଦଇତାପତି ନିଯୋଗ ଏ ନେଇ ଏକ ବୈଠକ କରି ପରବର୍ତୀ ନିଷ୍ପତ୍ତି ଖୁବଶୀଘ୍ର ଗ୍ରହଣ କରିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ଆଜି ରଥ ଖଳାରେ ଗୁଜ ଅନୁକୁଳ ପରମ୍ପରା ଥିଲା। କିନ୍ତୁ ତାହା ହୋଇ ପାରିଲା ନାହିଁ। ଏଣୁ ଆଉ ହାତରେ ସମୟ ନ ଥିବା ହେତୁ ଆଉ ରଥ ନିର୍ମାଣ ସମ୍ଭବ ନୁହେଁ ବୋଲି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ