ପୁରୀ: ପୁରୀ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଲାଗି ବ୍ଲକସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତାଲିମ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର, ବ୍ଲକ ଶିକ୍ଷା ଅଧିକାରୀ ଏବଂ ଅନ୍ୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଉଛି । ସେହିପରି ବ୍ଲକ ସ୍ତରୀୟ ଅଧିକାରୀ ନିଜ ବ୍ଲକର ପୋଲିଂ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିବେ ।
ଏହାପରେ ଆସନ୍ତା ୭, ୮ ଓ ୯ ତାରିଖରେ ସଂପୃକ୍ତ ବ୍ଲକ ସ୍ତରରେ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯିବ । ଜିଲ୍ଲାରେ ସ୍ବଚ୍ଛ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ନିର୍ବାଚନ ଦାୟିତ୍ବରେ ଅବହେଳା କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ତେବେ ପୁରୀ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୬ ତାରିଖରେ କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକରେ ମତଦାନ ହେବ । ନିର୍ବାଚନ ସହ ସଂପୃକ୍ତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଧିକାରୀ ଓ କର୍ମଚାରୀଙ୍କୁ କରୋନା ବୁଷ୍ଟର ଡୋଜ ପ୍ରଦାନ ବାଧ୍ୟତାମୂଳକ କରାଯାଇଛି । କୋଭିଡ ନିୟମ ଅନୁସାରେ ମତଦାନ ହେବ ।
ଅନ୍ୟପଟେ ଜିଲ୍ଲାରେ ୩ ହଜାର ୮ଶହ 4ଟି ମତଦାନ କେନ୍ଦ୍ର କରାଯାଇଛି । ଏଥିଲାଗି ୬ ହଜାର ଅଧିକାରୀ ଓ କର୍ମଚାରୀ, ୨୬୪ ଜଣ ସେକ୍ଟର ଅଫିସର ନିୟୋଜିତ ରହିବେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ