ପୁରୀ: ଆଜି ଆଷାଢ ଶୁକ୍ଲପକ୍ଷ ଦଶମୀ, ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଜନ୍ମ ବେଦୀରୁ ରତ୍ନ ସିଂହାସନକୁ ବାହୁଡିବେ ମହାବାହୁ । ଭାଇଭଉଣୀଙ୍କ ସହ ଜନ୍ମବେଦୀ ଛାଡି ରଥରେ ଚଢି ବଡ ଦେଉଳକୁ ଫେରିବେ ବଡଠାକୁର । ସକାଳୁ ନୀତିକାନ୍ତି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ ନୀତି । ଆଡପ ମଣ୍ଡପରୁ ଧାଡି ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ, କାହାଳି ତାଳେ ତାଳେ ଝୁଲି ଝୁଲି ଆସି ନିଜ ନିଜ ରଥରେ ରଥାରୂଢ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ ।
ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଦର୍ପଦଳନ ରଥରେ ସୁଦର୍ଶନଙ୍କ ବିଜେ ପରେ ଧାଡି ପହଣ୍ଡିରେ ଆସି ତାଳଧ୍ବଜ ରଥରେ ବିଜେ କରିଥିଲେ ବଡଠାକୁର ବଳଭଦ୍ର । ଏହାପରେ ଦେବୀ ସୁଭଦ୍ରା ଧାଡି ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିଜେ କରିଥିଲେ । ଶେଷରେ ଆରମ୍ଭ ହୋଇଥିଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି । ଶଙ୍ଖ ନାଦ ଓ ଘଣ୍ଟ ଘଣ୍ଟାର ତାଳେ ଧାଡି ପହଣ୍ଡିରେ ଆସି ନନ୍ଦିଘୋଷ ରଥରେ ବିଜେ କରିଥିଲେ କାଳିଆ ସାଆନ୍ତ । ଏବେ ରଥାରୂଢ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର ।