କଟକ: କଟକ କୃଷକ ବଜାର ନିକଟରେ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣା । ଘଟଣାଟି ଗୋଟିଏ ଦିନ ବିତିଥିଲେ ବି ସମ୍ପୃକ୍ତ ମହିଳାଙ୍କ ପରିଚୟ ଏଯାବତ ମିଳିପାରିନାହିଁ । ତେବେ ଅଧିକ ତଥ୍ୟ ପାଇଁ ବିଡ଼ାନାସୀ ପୋଲିସ ନିଜ ଅଞ୍ଚଳରେ ତଥା ସହରର ବିଭିନ୍ନ ସ୍ଥାନରେ ମହିଳାଙ୍କ ଫଟୋ ଲଗାଇବା କାର୍ଯ୍ୟ ଆରମ୍ଭ କରିଛି । ଅନ୍ୟପଟେ ମୃତ ମହିଳାଙ୍କ ପରିଚୟ ପାଇବା ପାଇଁ ଡିଏନଏ ପରୀକ୍ଷା ପାଇ ନମୁନା ସଂଗ୍ରହ କରାଯାଇଥିବା କଟକ ଡିସିପି କହିଛନ୍ତି ।
ଏଠି ପ୍ରଶ୍ନ ଉଠୁଛି କଟକ କୃଷକ ବଜାର ନିକଟରେ ମିଳିଥିବା ମୃତଦେହଟି କାହାର ? କିଏ ସେହି ଅପରିଚିତ ମହିଳା ? କିପରି ହୋଇଛି ତାଙ୍କର ମୃତ୍ୟୁ ? ମୃତଦେହ ମିଳିବାର ଗୋଟିଏ ଦିନ ବିତିବାକୁ ବସିଥିଲେ ମଧ୍ୟ ଏହି ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ବିଶେଷ କରି ମୃତ ମହିଳାଙ୍କ ପରିଚୟ ନେଇ ମଧ୍ୟ ସଠିକ ସୂଚନା ନ ମିଳିବା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।
ଫଳସ୍ବରୂପ ସମ୍ପୃକ୍ତ ମହିଳାଙ୍କ ପରିଚୟ ପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଛି ବିଡ଼ାନାସୀ ପୋଲିସ । ଏହି କ୍ରମରେ ଗଣମାଧ୍ୟମରେ ମୃତ ମହିଳାଙ୍କ ଫଟୋ ଜାରି କରିବାପରେ ଆଜି ସ୍ଥାନୀୟ ଅଞ୍ଚଳ ସହ ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ସେହି ଫଟୋକୁ ଲଗାଇବା ଆରମ୍ଭ କରିଛି ପୋଲିସ । ତେବେ ସମ୍ପୃକ୍ତ ମହିଳାଙ୍କ ପରିଚୟ ଜଣାପଡ଼ିବା ପରେ ହିଁ ତାଙ୍କର ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିପାରିବ ବୋଲି କହିଛନ୍ତି ଆଇନଜୀବୀ ।
ଅନ୍ୟପଟେ ଘଟଣାସ୍ଥଳରୁ ଜବତ ହୋଇଥିବା ଏକ ଭ୍ୟାନିଟିରୁ ଅନ୍ୟ ସାମଗ୍ରୀ ସହିତ ପୋଲିସକୁ ଏକ ସାଇକେଲ ଚାବି ମିଳିଥିଲା । କୃଷକ ବଜାର ନିକଟରୁ ସେହି ସାଇକେଲକୁ ମଧ୍ୟ ଜବତ କରିଛି ପୋଲିସ । ଏହା ବ୍ୟତୀତ ଘଟଣାସ୍ଥଳରୁ ମିଳିଥିବା କୀଟନାଶକ ଡବାଟି ସ୍ଥାନୀୟ ଅଞ୍ଚଳରୁ କିଣାଯାଇଛି କି ନାହିଁ ତାହା ଜାଣିବା ପାଇଁ ନିକଟସ୍ଥ କୀଟନାଶକ ବିକ୍ରି କରୁଥିବା ବ୍ୟବସାୟୀଙ୍କ ସହ ମଧ୍ୟ ପୋଲିସ ଯୋଗାଯୋଗ କରୁଛି ।
ଏପରିକି ଜବତ ହୋଇଥିବା ହାତ ଲେଖା ଚିଠିରେ "ମୁଁ ଭଗବାନ କୃଷ୍ଣଙ୍କ ପାଖକୁ ଯିବାକୁ ଚାହୁଁଛି.. ମୋତେ କେହି ବଞ୍ଚାଇବାକୁ ଚେଷ୍ଟା କରିବେ ନାହିଁ" ଲେଖାଯାଇଥିବାରୁ ମହିଳା ଜଣଙ୍କ ଇସ୍କନର ଅନୁଗାମୀ ହୋଇଥିବା ସନ୍ଦେହ କରି ପୋଲିସ ଭୁବନେଶ୍ବର ଇସ୍କନ ମନ୍ଦିର ଯାଇ ମଧ୍ୟ ପଚରାଉଚୁରା କରି ନିରାଶ ହୋଇ ଫେରିଛି । ଏହାରି ଭିତରେ ଗତକାଲି ପୋଷ୍ଟମଟମ ପରେ ମୃତଦେହକୁ ସଂରକ୍ଷିତ କରି ରଖିବା ସହ ଡିଏନଏ ପରୀକ୍ଷା ପାଇଁ ନମୁନା ମଧ୍ୟ ସଂଗ୍ରହ କରାଯାଇଥିବା କହିଛନ୍ତି କଟକ ଡିସିପି ।
ମିଳିଥିବା ସୂଚନା ମୁତାବକ ପୋଷ୍ଟମଟମ ସମୟରେ ମୃତ ମହିଳାଙ୍କ ପାକସ୍ଥଳୀରେ ବିଷର ନମୁନା ମିଳିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ମିଳିଥିବା ପ୍ରମାଣ ଆତ୍ମହତ୍ୟା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ ମଧ୍ୟ ପୋଲିସ ଅତି ସତର୍କତାର ସହ ମାମଲାର ତଦନ୍ତ ଜାରି ରଖିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ