କଟକ: ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା । ଏହି ମାମଲା ପରିବାର ଅଦାଲତ କନସିଲେସନ କେନ୍ଦ୍ରରେ ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିଥିବାରୁ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ । ଧାର୍ଯ୍ୟ ସମୟରେ ମାମଲାର ଶୁଣାଣି କରିବାକୁ ସାଂସଦ ତଥା ଅଭିନେତା ଅନୁଭବ କୋର୍ଟରେ ଆବେଦନ କରିଥିଲେ ।
ପରିବାର ଅଦାଲତ କନସିଲେସନ କେନ୍ଦ୍ରରେ ଏହି ମାମଲା ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିଛି । ଏଣୁ ମାମଲାକୁ ଶେଷ କରିଛନ୍ତି ହାଇକୋର୍ଟ । ଧାର୍ଯ୍ୟ ସମୟରେ ମାମଲାର ଶୁଣାଣି ଶେଷ କରିବାକୁ ହୋଇଥିଲା ଏହି ଆବେଦନ । ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ହୋଇଥିଲା ଆବେଦନ । ତେବେ ମାମଲା ପାରିବାରିକ କୋର୍ଟରେ ଶୁଣାଣି ଅଗ୍ରଗତି ହୋଇଥିବାରୁ ହାଇକୋର୍ଟ ଅନୁଭବଙ୍କ ଆବେଦନ ଶୁଣାଣିର ଅନ୍ତ ଘଟାଇଛନ୍ତି ।
ତେବେ ସୂଚନା ଥାଉକି, ବର୍ଷା ଏହି ବୈବାହିକ ଜୀବନର ପୁନଃ ପ୍ରତିଷ୍ଠା ପାଇଁ କଟକ ପାରିବାରିକ କୋର୍ଟରେ ଆବେଦନ କରିଥିବା ବେଳେ ଅନୁଭବ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଥିଲେ । ସେପଟେ ବର୍ଷା ମଧ୍ୟ ଅନୁଭବଙ୍କ ବିରୋଧରେ ଏକ ଭରଣ ପୋଷଣ ମାମଲା ରୁଜୁ କରି ପାରିବାରିକ ହିଂସାର ଶିକାର ହୋଇଛନ୍ତି ବୋଲି ଦର୍ଶାଇଥିଲେ । ଆଜି (ଶୁକ୍ରବାର) ଅନୁଭବଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି ପରିବାର ଅଦାଲତରେ କରାଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ