କଟକ: ଆଜି (ସୋମବାର) ଓଡିଶା ହାଇକୋର୍ଟର ୩ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ଏମ. ଏସ ରମଣ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି ତିନି ନୂଆ ବିଚାରପତି । କୋଭିଡ କଟକଣା ମଧ୍ୟରେ ସୀମିତ ଅତିଥିଙ୍କୁ ନେଇ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ୩ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର । ଏହି ତିନି ବିଚାରପତିଙ୍କ ଯୋଗଦାନ ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୧ରେ ପହଞ୍ଚିଛି।
ସୂଚନାଯୋଗ୍ୟ ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ଏମ.ଏସ ରମଣଙ୍କ ନାମକୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା ।
ହାଇକୋର୍ଟର ପୂର୍ବତନ ବିଚାରପତି ସ୍ବର୍ଗତ ଜଷ୍ଟିସ ଭି.ଗୋପାଳ ସ୍ବାମୀଙ୍କ ପୁଅ ହେଉଛନ୍ତି ଭି.ନରାସିଂହ । ୧୯୬୭ ଜାନୁଆରି ୧୯ରେ ଭି.ନରସିଂହ ଜନ୍ମ ଗ୍ରହଣ କରିଥିଲେ । ଭୁବନେଶ୍ବର ୟୁନିଟ ୧ ସରକାରୀ ବାଳକ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ବିଜେବି କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ମଧୁସୂଦନ ଆଇନ କଲେଜରେ କିଛି ଦିନ ଶିକ୍ଷା ଦାନ କରିଥିଲେ । ୧୯୮୯ରେ ସେ ଓକିଲାତି ଆରମ୍ଭ କରିଥିଲେ । ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ମାମଲା ପରିଚାଳନା ପାଇଁ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ପାଇଥିଲେ । ସିବିଆଇ ପକ୍ଷରୁ ମାମଲା ପରିଚାଳନା ପାଇଁ ତାଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା ।
ସେହପରି ଜଷ୍ଟିସ ଏନ.ଏସ. ରମଣଙ୍କୁ ତଦନ୍ତ କମିସନରେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ବତନ୍ତ୍ର ଆଇନଜୀବୀ ଭାବେ ନିଯୁକ୍ତି ଦିଆଯାଇଥିଲା। ବହୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଷ୍ଠାନ ସହିତ ସାଧାରଣ ବୀମା କମ୍ପାନି, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଏନଏଚଏଆଇ ପାଇଁ ସେ ମାମଲା ପରିଚାଳନା କରୁଥିଲେ । ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଭଗବାନ ଶତପଥୀ ଓ ପ୍ରଭାବତୀ ଶତପଥୀଙ୍କ ପୁଅ ହେଉଛନ୍ତି ଆଇନଜୀବୀ ବିରଜା ପ୍ରସନ୍ନ ଶତପଥୀ ।
ସେ ୧୯୮୧ରେ ତିର୍ତ୍ତୋଲ ହାଇସ୍କୁଲରୁ ମାଟ୍ରିକ୍ ପାସ କରିଥିଲେ। ସେ ରେଭେନ୍ସାରୁ ଆଇ.କମ୍, ବି.କମ୍ (ସମ୍ମାନ) ଓ ଏମ୍.କମ୍ ଡିଗ୍ରୀ ହାସଲ କରିଥିଲେ। ୧୯୯୩ରେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ସେ ବହୁ ଗରୀବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ ତାଙ୍କର ସୁନାମ ରହିଛି ।
ସେହିପରି ୧୯୭୦ ଜୁନ୍ ୮ରେ ଏମ.ଆର.ଭି ରାଓ ଓ ଅନସୂୟା ଦେବୀଙ୍କ ପୁଅ ଭାବେ ମୁରାହରି ଶ୍ରୀ ରମଣ ଜନ୍ମ ଗ୍ରହଣ କରିଥିଲେ । ୧୯୯୭ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ସେ ବାଣିଜ୍ୟକର ବିଭାଗର ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ଭାବେ ୨୦୦୯ରେ ନିଯୁକ୍ତି ପାଇଥିଲେ । ବାଣିଜ୍ୟକର ଆଇନ ସଂପର୍କିତ ପୁସ୍ତକ ସଂକଳନ କ୍ଷେତ୍ରରେ ସେ ଏମ.ଆର.ଭି.ରାଓଙ୍କୁ ସହାୟତା କରିଥିଲେ ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ