କଟକ: ନରସିଂହପୁରରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଆବାସ ଯୋଜନାକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ତୁମୁଳକାଣ୍ଡ ହୋଇଛି । ଦୁଇ ଦଳର କର୍ମୀ ପରସ୍ପର ଉପରକୁ ଢେଲା ପଥର ମାଡ଼ କରିବାକୁ ପଛାଇ ନଥିଲେ । ଫଳରେ ଦୁଇ ଦଳର ବହୁ କର୍ମୀ ଆହତ ହୋଇଛନ୍ତି।
ରାଜ୍ୟରେ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ବିଜେପି ପକ୍ଷରୁ ସମସ୍ତ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବଡ଼ମ୍ବା ନରସିଂହପୁର ବିଜେପି ପକ୍ଷରୁ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରାଙ୍କ ସହ କଟକ ଜିଲ୍ଲା ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତିଙ୍କ ନେତୃତ୍ଵରେ ନରସିଂହପୁର ବ୍ଲକ ଘେରାଉ କରିଥିଲା ବିଜେପି । ଏହି ସମୟରେ ବିଜେପି କର୍ମୀ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ପ୍ରଥମେ କଥାକଟାକଟି ଓ ପରେ ଧସ୍ତାଧସ୍ତି ହେବା ସହ ଢେଲାପଥର ମାଡ ହୋଇଥିଲା ।
ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ନରସିଂହପୁର ପୋଲିସ ଉଭୟ ଦଳ କର୍ମୀଙ୍କୁ ବୁଝାଇଥିଲେ । ନରସିଂହପୁରରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସ୍ଥିତି ଅନୁଧ୍ୟାନ କରାଯାଇଛି । ତେବେ ଆକ୍ରମଣକାରୀ ବିଜେଡିକର୍ମୀଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ ଆଗରେ ଧାରଣାରେ ବସିଛନ୍ତି ବିଜେପି କର୍ମୀ ଓ ନେତା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ