କଟକ: ଦିନକୁ ଦିନ ରାଜ୍ୟରେ ଦୁର୍ନୀତି ତଥା ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧିପାଇବାରେ ଲାଗିଛି । ଏପରିକି ଅନେକ ସରକାରୀ ଯୋଜନା ମଧ୍ୟ ବାଟମାରଣା ହେଉଛି । ପ୍ରକୃତ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚିବା ଅନେକ ସମୟରେ ବିଫଳ ହେଉଛି । ଫଳରେ ଜନସାଧାରଣ ସିଧାସଳଖ ପ୍ରଭାବିତ ହେଉଛନ୍ତି । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଆରମ୍ଭ ହୋଇଛି ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ ଶିବିର ।
ଓଡିଶାର ବିଭିନ୍ନ ସ୍ଥାନରେ ଏହି ତାଲିମ ଶିବିର ଆରମ୍ଭ କରିବାକୁ ଆଜି(ଶନିବାର) କଟକରେ ନିଷ୍ପତ୍ତି ନିଆଯାଇଛି । ଏହି ଶିବିର ମାଧ୍ୟମରେ ଜନସାଧାରଣଙ୍କୁ ଆଇନ ବାବଦରେ ପ୍ରଶିକ୍ଷଣ ଦିଆଯିବ । ସେହିପରି ଏହା ମାଧ୍ୟମରେ ଲୋକେ ବିଭିନ୍ନ ସରକାରୀ ଯୋଜନା ବାବଦରେ ଜାଣିପାରିବା ସହ ସେମାନଙ୍କ ସହ ହେଉଥିବା ଦୁର୍ନୀତି ବାବଦରେ କିଭଳି ଅଭିଯୋଗ କରିପାରିବେ ସେନେଇ ସୂଚନା ଦିଆଯିବ ।
ଏଥିସହ ଲୋକେ କିଭଳି ଲୋକାୟୁକ୍ତଙ୍କ ନିକଟରେ ସେମାନଙ୍କ ଅଭିଯୋଗ ରଖିପାରିବେ ସେନେଇ ମଧ୍ୟ ପ୍ରଶିକ୍ଷଣ ଦିଆଯିବ । ଲୋକାୟୁକ୍ତ ଅଭିଯୋଗ ଶୁଣାଣି ପାଇଁ ଅନେକ ରୁଲ୍ ମଧ୍ୟ ଆରମ୍ଭ କରିଛି । ସାଧାରଣ ଲୋକେ ଏହି ପ୍ରଶିକ୍ଷଣ ମାଧ୍ୟମରେ ରୁଲ୍ ବାବଦରେ ସହଜରେ ଜାଣିପାରିବେ । ଫଳରେ ସରକାରୀ ଯୋଜନାରେ ହେଉଥିବା ବିଭିନ୍ନ ଦୁର୍ନୀତିକୁ ବିରୋଧ କରିବା ସହ ଏନେଇ ଅଭିଯୋଗ ମଧ୍ୟ କରିପାରିବେ । ତେବେ ଲୋକଙ୍କ ପକ୍ଷରୁ ହେଉଥିବା ସମସ୍ତ ଅଭିଯୋଗ କିପରି ଗଣମାଧ୍ୟମରେ ପ୍ରକାଶିତ ହେବ ସେ ବାବଦରେ ମଧ୍ୟ ସୂଚନା ଅଧିକାର ଆଇନ ଯୋଜନା ପ୍ରସ୍ତୁତ କରିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ