କଟକ : କଟକରେ ଆରମ୍ଭ ହେଲା ରାଜ୍ୟ 47ତମ ସବ ଜୁନିୟର ବାସ୍କେଟବଲ ପ୍ରତିଯୋଗିତା(47th sub junior basketball competitions) । ଜାଭିଅର ଗୃପ ଅଫ ସ୍କୁଲ, ଓଡିଶା ବାସ୍କେଟବଲ ସଂଘ ମିଳିତ ଆନୁକୁଲ୍ୟରେ ଏହି ମେଗା ପ୍ରତିଯୋଗିତା ଆରମ୍ଭ ହୋଇ ଆସନ୍ତା ୧୧ ତାରିଖ ଯାଏଁ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିଅମରେ ଖେଳାଯିବ । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 600ରୁ ଊର୍ଦ୍ଧ୍ବ ଖେଳାଳି ଅଂଶ ଗ୍ରହଣ କରିଛନ୍ତି ।
ବାଳକ ବର୍ଗରେ 24 ଓ ବାଳିକା ବର୍ଗ ବରେ 14ଟି ଦଳଙ୍କ ମଧ୍ୟରେ ହେବ ପ୍ରତିଯୋଗିତା । ତେବେ ଯେଉଁ ଖେଳାଳି ଭଲ ପ୍ରଦର୍ଶନ କରିବେ ସେମାନେ ଆଗାମୀ ଦିନରେ ହେବାକୁ ଥିବା ଜାତୀୟସ୍ତରୀୟ ମ୍ୟାଚ ପାଇଁ ଚୟନ ପ୍ରକ୍ରିୟାରେ ସାମିଲ ହେବେ ବୋଲି କହିଛନ୍ତି ରାଜ୍ୟ ସଂଘ ସମ୍ପାଦକ ଅଶୋକ କୁମାର ସାହୁ । ସେ କହିଛନ୍ତି, "ସବ ଜୁନିଅର ବାଳକ ବାଳିକା ପାଇଁ ଅନୁଷ୍ଠିତ ହେଉଛି । ଆଜି ଆରମ୍ଭ ହୋଇଛି ଆସନ୍ତା ୧୧ତାରିଖ ସନ୍ଧ୍ୟାରେ ଫାଇନାଲ ଅନୁଷ୍ଠିତ ହେବ । ଏଥିରେ ବାଳକ ବିଭାଗରେ ୨୮ଟି ଟିମ ଯୋଗଦେବା ପାଇଁ ନିଷ୍ପତ୍ତି ହୋଇଥିଲା ତେବେ ବିଭିନ୍ନ କାରଣରୁ କେତୋଟି ଟିମ ରହିଯାଇଥିଲେ । ଏଣୁ ବାଳକ ବିଭାଗରେ ୨୪ଟି ଟିମ ଅଂଶ ଗ୍ରହଣ କରିଥିବା ବେଳେ ବାଳିକା ବିଭାଗରେ ୧୪ଟି ଟିମ ଅଂଶ ଗ୍ରହଣ କରିଛନ୍ତି । ତିନି ଦିନ ଧରି ଲିଗ କମ୍ ନକ୍ଆଉଟ ବେସିସ୍ରେ ଚାଲିବ । ଏଇଠୁ ଯେଉଁମାନେ ସିଲେକ୍ଟ ହେବେ ସେମାନେ ନଭେମ୍ବର ମାସରେ ହିମାଚଳ ପ୍ରଦେଶରେ ହେବାକୁ ଥିବା ନେସ୍ନାଲରେ ପାର୍ଟିସିପେଟ୍ କରିବେ ।"
ତେବେ ରାଜ୍ୟରେ ତୃଣମୂଳସ୍ତରରୁ ଭଲ ଖେଳାଳି ଚୟନ କରିବା ପାଇଁ ଏହିଭଳି ମେଗା ପ୍ରତିଯୋଗୀତା ଆୟୋଜିତ କରିଛି ସଂଘ । କାରଣ ରାଜ୍ୟରେ ଅନେକ ଲୁକାୟିତ ପ୍ରତିଭା ଅଛନ୍ତି ଯେଉଁମାନେ ନିଜର ଖେଳ ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଉନାହାଁନ୍ତି । ତେବେ ରାଜ୍ୟ ବାସ୍କେଟ ବଲ୍ ସଂଘ ସର୍ବଦା ତୃଣମୂଳସ୍ତରକୁ ଫୋକସ୍ କରିବା ସହ ଅନେକ ନୂଆ ନୂଆ ପ୍ରତିଭା ଚୟନ ଦିଗରେ ଅଗ୍ରସର ହେଉଛି ବୋଲି କହିଛନ୍ତି ସଂଘ ସମ୍ପାଦକ ।
ସୂଚନାଥାଉକି, ଗତ 2019 ସେପ୍ଟେମ୍ବର ମାସରେ କଟକ ଇନଣ୍ଡୋର ଷ୍ଟାଡିୟମରେ 46ତମ ଜାତୀୟ ସବ-ଜୁନିୟର ବାସ୍କେଟବଲ ଚମ୍ପିଆନସିପ୍ ଅନୁଷ୍ଠିତ ହୋଇଥିଲା । ଏହି ମେଗା ଇଭେଣ୍ଟରେ 25ଟି ରାଜ୍ୟରୁ 1000ରୁ ଊର୍ଦ୍ଧ୍ଵ ଖେଳାଳୀ ଅଂଶଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର 3 ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର 9 ତାରିଖ ପର୍ଯ୍ୟନ୍ତ ଖେଳା ଯାଇଥିଲା ।
ଇଟିଭି ଭାରତ, କଟକ