କଟକ: ସିଲଭରସିଟି ପାଇଁ ଗୋଲ୍ଡ଼ ଆଣିଛନ୍ତି ମଧୁସ୍ମିତା ସେନାପତି । ଅନ୍ତଃରାଷ୍ଟ୍ରିୟ ଅନଲାଇନ ଯୋଗ ପ୍ରତିଯୋଗିତାରେ ନିଜର ଯୋଗ ପ୍ରତିଭାରେ ବିଚାରକ ମଣ୍ଡଳୀର ମନକୁ ଖୁସି କରି ଜିତିଛନ୍ତି ସ୍ଵର୍ଣ୍ଣ ପଦକ । 30 ବର୍ଷରୁ କମ ଏହି ପ୍ରତିଯୋଗିତାରେ ସେ ଦେଖାଇଛନ୍ତି ନିଜର ଦମ । ଏଥିରେ 9ଟି ଦେଶରୁ 800 ଖେଳାଳିଙ୍କୁ ଟକ୍କର ଦେଇ ଶେଷରେ ସେ ହାତେଇଛନ୍ତି ଏହି ସଫଳତା । ଏହା କେବଳ କଟକ ନୁହେଁ ବରଂ ସାରା ରାଜ୍ୟ ଓ ଦେଶ ପାଇଁ ଏକ ଗୌରବର ବିଷୟ । ତେବେ ଭାଇଚାରାର ସହରର ଗୌରବକୁ ସାରା ବିଶ୍ବରେ ପୁଣି ଥରେ ଆନ୍ଦୋଳିତ କରିଛନ୍ତି ଏହି ସ୍ଵର୍ଣ୍ମ ପଦକ ବିଜୟିନୀ ମଧୁସ୍ମିତା ।
କଥାରେ ଅଛି ଅଦମ୍ୟ ଇଚ୍ଛା ଶକ୍ତି ଓ ଦୃଢ ମନୋବଳ ଆଧାରରେ ହାସଲ କରିହୁଏ ଯେକୌଣସି ସଫଳତା । ଏହାର ଏକ ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି କଟକର ସୁନା ଝିଅ । ମନରେ ଅଦମ୍ୟ ଅଭିଳାଷ ଓ ଶିଖିବାର ଇଛା ରଖି ସେ ଏହି ସଫଳତା ହାସଲ କରିପାରିଛନ୍ତି । ଏପରି ଏକ ଅନନ୍ୟ ପ୍ରତିଭା ହେଉଛନ୍ତି କଟକ ବାଦାମବାଡ଼ି ଅଞ୍ଚଳର ମଧୁସ୍ମିତା ସେନାପତି । ଯିଏ 5 ଷ୍ଟାର ୱେଲଫେୟାର ଆଣ୍ଡ ସ୍ପୋର୍ଟସ କମିଟି ଦ୍ବାରା ଆୟୋଜିତ ଅନ୍ତଃରାଷ୍ଟ୍ରୀୟ ଯୋଗ ଚମ୍ପିୟାନସିପରେ ଭାଗ ନେଇ ସ୍ଵର୍ଣ ପଦକ ହାସଲ କରିଛନ୍ତି । ଯାହା କଟକ ପାଇଁ ଗର୍ବ ଓ ଗୌରବର କଥା ।
ଏହି ପ୍ରତିଯୋଗିତାରେ 9ଟି ଦେଶରୁ 800 ପ୍ରତିଯୋଗୀ ଭାଗ ନେଇଥିଲେ । ଯେଉଁଥିରେ ଭାରତରୁ ଭାଗ ନେଇଥିଲେ 60ରୁ ଉର୍ଦ୍ଧ୍ବ ଯୋଗ ପ୍ରତିଯୋଗୀ । ହେଲେ ମଧୁସ୍ମିତା ନିଜର ଦମ୍ଭ ଓ ମନୋବଳ ସାଙ୍ଗକୁ ଆକର୍ଷଣୀୟ ଯୋଗ ଶୈଳୀ ଓ ସଠିକ୍ ମୁଦ୍ରା ବଳରେ ବିଜୟ ହାସଲ କରିଛନ୍ତି । ମାତ୍ର 24 ବର୍ଷ ବୟସରେ ସେ ଏବେ ବିଶ୍ବ ଦରବାରରେ ପାଇଛନ୍ତି ସ୍ବତନ୍ତ୍ର ସ୍ଥାନ । ଝିଅର ଏହି ଗାରିମାକୁ ପାଖରୁ ଦେଖି ବେଶ ଖୁସି ପରିବାରବର୍ଗ । ଛୁଆଟି ବେଳୁ ଯୋଗ ପ୍ରତି ରୁଚି ରଖୁଥିବା ମଧୁସ୍ମିତା ଜୀବନରେ ଏମିତି ଆଗେଇ ଚାଲନ୍ତୁ ବୋଲି କରିଛନ୍ତି କାମନା ।
କଠିନ ପରିଶ୍ରମ ଓ ଦୃଢ ମନୋବଳ ଆଧାରରେ ହାସଲ କରିହୁଏ ଯେ କୌଣସି ସଫଳତା । ମହାମାରୀ ପରି ଘଡିସନ୍ଧି ମୁହୂର୍ତ୍ତରେ ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରି ଦେଖାଇଛନ୍ତି ଦକ୍ଷ ମଧୁସ୍ମିତା । ଆଗକୁ ତାଙ୍କର ଏହି ସଫଳତାର ଯାତ୍ରା ଜାରି ରହୁ କେବଳ ଏତିକି ହିଁ କାମନା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ