କଟକ: ବଦଳୁଛି ସମୟ, ବଦଳୁଛି କଟକ ତା' ସାଙ୍ଗରେ ପରିବର୍ତ୍ତନ ହେଉଛି ଏହାର କାୟାକଳ୍ପ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବର୍ଷକ ତଳେ ଆରମ୍ଭ ହୋଇଥିବା ସିଲଭର ସିଟି ବୋଟ କ୍ଲବ ପୁଣି ଚମକିବ । ବୋଟ କ୍ଲବ ସହ ଯୋଡିବାକୁ ଯାଉଛି ମୁକ୍ତାକାଶ ରଙ୍ଗମଞ୍ଚ ସହ ପାଣିରେ ଚାଲିବାର ମଜା ।
ଏଥିସହ ପାରିପାର୍ଶ୍ବିକ ବିକାଶ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ଆଉ 10 କୋଟି ଟଙ୍କା । ଯାହା କଟକର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିବା ପାଇଁ ରହିଛି ଆଶା । ବର୍ଷକ ତଳେ ଆରମ୍ଭ ହୋଇଥିବା ଏହି ସିଲଭର ସିଟି ବୋଟ କ୍ଲବର ବଦଳୁଛି ରୂପରେଖ । ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ନୌବିହାର ମଜା ପାଇଁ ଆରମ୍ଭ ହୋଇଥିଲା ଏହି ବୋଟ କ୍ଲବ । ଏଥିରେ ଜେଟ୍ ସ୍କି, ସ୍ପିଡ୍ ବୋଟ, କ୍ରୁଜ୍ ବୋଟ, ୱାଟର ସ୍କୁଟର ଭଳି ଅନେକ ପ୍ରକାର ବୋଟର ସୁବିଧା କରାଯାଇଥିଲା ।
ଆଗକୁ ମୁକ୍ତାକାଶ ରଙ୍ଗମଞ୍ଚ, ବଡ ଫ୍ଲୋଟି ରେସ୍ତାେରାଁ ଓ ପାଣିରେ ଚାଲିବାର ଅନୁଭୂତି ଭଳି ଅତ୍ୟାଧୁନିକ ବ୍ୟବସ୍ଥା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ସେପଟେ ଖରାଦିନିଆ ସନ୍ଧ୍ୟାରେ ହାଲୁକା ପବନ ସାଙ୍ଗକୁ ଝିଲମିଲି ଆଲୋକମାଳାରେ ବୋଟ କ୍ଲବର ପରିସରରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ତେବେ ଗତ ବର୍ଷକ ମଧ୍ୟରେ ଏଠାକୁ ଏକ ଲକ୍ଷ କୋଡିଏ ହଜାର ପର୍ଯ୍ୟଟକ ଆସି ଥିବାବେଳେ ପାଖାପାଖି 47 ଲକ୍ଷ ଟଙ୍କାର ବ୍ୟବସାୟ ମଧ୍ୟ କରିଛି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ(OTDC) ।
ବୋଟ କ୍ଲବର ପରିସର ସୁନ୍ଦର ହୋଇଥିଲେ କ୍ଲବକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ରାସ୍ତାରେ ବଡ଼ବଡ଼ ଗାଢ଼ ସାଙ୍ଗକୁ ଅଲୋକୀକରଣର ବ୍ୟବସ୍ଥା ନ ଥିବାରୁ ଯାତାୟାତରେ ଅନେକ ସମସ୍ୟା ସୃଷ୍ଟି ହୋଇଛି । ଯାହାକୁ କିଛି ପର୍ଯ୍ୟଟକ ନା ପସନ୍ଦ କରିଛନ୍ତି । ତେବେ ଖୁବଶୀଘ୍ର ଏହାର ପାରିପାର୍ଶ୍ବିକ ସ୍ଥିତିର ଉନ୍ନତିକରଣ ସହ ଭିତ୍ତିଭୂମିର ବିକାଶ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି କଟକ ଜିଲ୍ଲାପାଳ ।
କଟକକୁ ପର୍ଯ୍ୟଟନ ହବ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇ ଥିବାବେଳେ ଆଗକୁ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖିଛି ଓଟିଡ଼ିସି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ