କଟକ: ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା । ମା' ଜଗତଜନନୀଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇପଡିଛି କଟକ ସହର । ତେବେ ଦୁର୍ଗାପୂଜା ସମୟରେ ସିଲଭର ସିଟିରେ ନଥିବ ଜାଇକା ଟେନସନ । ପୂଜା ପୂର୍ବରୁ ସହରର ରାସ୍ତାଘାଟ ହେବ ଚକାଚକ୍ । ଯେଉଁଟି ବି ଜାଇକା ମ୍ୟାନ ହୋଲ, ବିପର୍ଯ୍ୟସ୍ତ ରାସ୍ତାଘାଟ ରହିଛି ସେଗୁଡିକର କାର୍ଯ୍ୟ ଶୀଘ୍ର ଶେଷ କରାଯିବ । ଏନେଇ ଶନିବାର କଟକ ମହନଗର ନିଗମ(CMC)ରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିରେ କର୍ପୋରେଟଙ୍କ ସମେତ ଜାଇକା ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।
ଜାଇକା କାର୍ଯ୍ୟ କେତେ ବାଟ ଆଗେଇଛି ଓ ଏହା କେବେ ଶେଷ ହେବ ସେନେଇ ବୈଠକରେ କର୍ପୋରେଟରଙ୍କ ଉତ୍ତର ରଖିଥିଲେ ଜାଇକା ଅଧିକାରୀ । ବିଶେଷକରି ଦୁର୍ଗା ପୂଜା ସମୟରେ ଜାଇକା ଦ୍ବାରା ସୃଷ୍ଟି ହୋଇଥିବା କୁତ୍ରିମ ଅସୁବିଧାକୁ ଯେପରି ସହରବାସୀ ସାମ୍ନା ନ କରିବେ ସେନେଇ ମେୟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କର୍ପୋରେଟର । ସାଧାରଣତଃ ପୂଜା ସମୟରେ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ କଟକ ଆସିଥାନ୍ତି । ଯଦି ସେହି ସମୟରେ ସେମାନେ ଜାଇକାର ଏପରି ଦୃଶ୍ୟ ଦେଖିବେ ତେବେ କଟକ ପ୍ରତି ଯେଉଁ ଶ୍ରଦ୍ଧା ଓ ଭଲ ପାଇବା ରହିଛି ତାହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ । ତେଣୁ ଏହାକୁ ନଜରରେ ରଖି ପୂଜା ସମୟରେ ଜାଇକା କାମ ସାରିବାକୁ ସିଏମସି ଗୁରୁତ୍ବାରୋପ କରିଛି । ସେହିପରି ଆସନ୍ତା ଡିସେମ୍ବର ସୁଦ୍ଧା କଟକରେ ଜାଇକା କାମ ସମ୍ପୂର୍ଣ୍ଣ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମେୟର ଓ ଜାଇକା ଅଧିକାରୀ ।
ଜାଇକା ପ୍ରକଳ୍ପ କଟକବାସୀଙ୍କ ନିଦ ହଜାଇଛି । ସହରର ରାସ୍ତାଘାଟ ମରଣଯନ୍ତା ପାଲଟିଛି । ବର୍ଷେ କି ଦୁଇ ବର୍ଷ ନୁହେଁ, ବରଂ ୧୦ ବର୍ଷ ଧରି ଜାଇକା ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି କଟକବାସୀ । ଶିଳାନ୍ୟାସକୁ ୧୦ ବର୍ଷ ପୁରିଥିଲେ ସୁଦ୍ଧା ଆଜି ଯାଏଁ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିଲା ନାହିଁ । ମୁଣ୍ଡ ଉପରେ ଦୁର୍ଗାପୂଜା ଥିବାରୁ ରାସ୍ତାଘାଟର ମରାମତି ପାଇଁ ଦୀର୍ଘ ଦିନ ଧରି ସ୍ବର ଉତ୍ତୋଳନ ହୋଇଆସୁଛି ।
ଏହାମଧ୍ୟ ପଢନ୍ତୁ: ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷିବ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
କଟକ ସହରରେ ଡ୍ରେନେଜ ଓ ସ୍ବରେଜ ବ୍ୟବସ୍ଥା ଉନ୍ନତି ଆଣିବା ପାଇଁ ୨୦୧୨ ମସିହାରୁ ଏହି ଜାଇକା ପ୍ରକଳ୍ପ ଆରମ୍ଭ ହୋଇଥିଲା । ୪ ବର୍ଷ ଭିତରେ ଅର୍ଥାତ ୨୦୧୬ରେ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ୨୦୧୬ ସରି ୨୦୨୨ ସରିବାକୁ ବସିଥିଲେ ସୁଦ୍ଧା ଆହୁରି ଶେଷ ହେଉନି ଜାଇକା କାମ । ଯାହାକୁ ନେଇ କଟକବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।
ଇଟିଭି ଭାରତ, କଟକ