କଟକ: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ଆସିଲା ଲାଏ ଡିଟେକ୍ସନ ରିପୋର୍ଟ । ରିପୋର୍ଟ ଆସିବା ପରେ ଘଟଣାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପୋଲିସର ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଛନ୍ତି ଆଇନଜୀବୀ ।
ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ କହିଛନ୍ତି, ଘଟଣା ଘଟିଲା ପରେ ପ୍ରଥମେ ସ୍ଥାନୀୟ ପୋଲିସ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କଲା । ବୋଧହୁଏ ଅଭିଯୋଗ ଅନୁସାରେ ଯେଉଁମାନଙ୍କୁ ଅଭିଯୁକ୍ତ କୁହାଯାଉଛି, ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ପାଇଲା ନାହିଁ ତଦନକାରୀ ଟିମ । ଯଦ୍ବାରା କୌଣସି କାର୍ଯ୍ୟାନୁଷ୍ଠାନ ତଦନ୍ତକାରୀ ଦଳ ନେଇପାରୁ ନାହିଁ । କିନ୍ତୁ ଘଟଣା ପରଠାରୁ ବର୍ତ୍ତମାନ ସୁଦ୍ଧା ତଦନ୍ତ ଓ ତଦନ୍ତକାରୀ ଅଧିକାରୀଙ୍କ ଭୂମିକାକୁ ନେଇ ସେ ସନ୍ଦେହ କରିଛନ୍ତି ।
କାରଣ ଏହି ଘଟଣାରେ କିଛି ନା କିଛି ଲୁଚି ରହିଛି ବୋଲି ସେ କହିଛନ୍ତି । ବରିଷ୍ଠ ଆଇନଜୀବୀ ମାନସ ଦାସଙ୍କ କହିବା କଥା, ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ପରେ ପାଖାପାଖି ୯୫ ପ୍ରତିଶତ ଶରୀର ପୋଡିଯାଇଥିଲା । ଯେଉଁଠି ନିଆଁ ଲାଗି ପୋଡି ହୋଇଥିଲେ ସେହିଠାରେ କୌଣସି ପ୍ରକାରର ସଂକେତ ନଥିବା ପୋଲିସ ତଦନ୍ତ ପରେ କହୁଛି । ପୁଣି ସୌମ୍ୟ ନିଆଁ ଲାଗିବା ପରେ ନିଆଁ ଲିଭାଇବା ପାଇଁ କେମିତି କୌଣସି ଉଦ୍ୟମ କଲେ ନାହିଁ ? ପାଖରେ ବ୍ରହ୍ମପୁର ବଡ ମେଡିକାଲ ଥିବା ସତ୍ତ୍ବେ କଟକ କାହିଁକି ଆଣିଲେ । ଏହି ସମସ୍ତ ଘଟଣାକୁ ନେଇ ପୋଲିସର ଭୂମିକା କେଉଁଠି ନା କେଉଁଠି ସନ୍ଦେହରେ ଅଛି ବୋଲି ମାନସ କହିଛନ୍ତି ।
ସେହିପରି ଲାଏ ଡିଟେକ୍ସନରେ ମଧ୍ୟ ସେମିତି କିଛି ହେବ ନାହିଁ । ଏହା କୋର୍ଟଙ୍କ ଦ୍ବାରା ଗ୍ରହଣୀୟ ହେବ ନାହିଁ । ଯେହେତୁ ପୋଲିସ ମୂଳରୁ ଅବହେଳା କରିଛି, ଏବେ ଶେଷ ଅସ୍ତ୍ର ଭାବେ ଲାଏ ଡିଟେକସନ କଲେ କିଛି ମିଳିବ ନାହିଁ ବୋଲି କହିଛନ୍ତି । ତେଣୁ ଖୁବ ଶୀଘ୍ର ପୋଲିସ ଏହି ମାମଲାକୁ ଅନ୍ତ କରିପାରେ ବୋଲି କହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ