କଟକ: କ୍ରିକେଟ; ଆମ ଦେଶରେ ଏହା କେବଳ ଏକ ଗେମ୍ ନୂହେଁ । ଏହା ପ୍ରତିଟି କ୍ରୀଡାପ୍ରେମୀଙ୍କ ପାଇଁ ଏକ ଇମୋସନ । କାହାର ଇଚ୍ଛା ଥାଏ ମୁଁ ଜଣେ ଭଲ ବ୍ୟାଟ୍ସମ୍ୟାନ ହେବି, ଆଉ କିଏ ଭାବେ ମୁଁ ଭଲ ବୋଲର ଟେ ହେବି । କିନ୍ତୁ ସବୁ ଇଚ୍ଛା ପୁରଣ ହୁଏ ନାହିଁ ସତ, ମାତ୍ର କ୍ରିକେଟ ପ୍ରତି ସେହି ଭଲ ପାଇବା କେବେ କମି ନଥାଏ ଜଣେ କ୍ରୀଡା ପ୍ରେମୀର । ଭିନ୍ନ ଭିନ୍ନ ଉପାୟରେ ସେ କ୍ରିକେଟ ସହ ଯୋଡି ହୋଇ ରହିଥାଏ । ଆଉ ଏମିତି ଜଣେ ନିଆରା କ୍ରିକେଟ ପ୍ରେମୀ ହେଉଛନ୍ତି କଟକର 45 ବର୍ଷିୟ ସରୋଜ ରଞ୍ଜନ କର ।
ଯିଏ କି 90 ଦଶକରୁ ଆଜି ପର୍ଯ୍ୟନ୍ତ ସାଉଁଟିଲେଣି 5 ହଜାରୁ ଉର୍ଦ୍ଧ୍ଵ କ୍ରିକେଟରଙ୍କ ଅଟୋଗ୍ରାଫ । ଯେଉଁଥିରେ ସାମିଲ ଅଛି ସାର ଡ଼ନ ବ୍ରାଡମ୍ୟାନଙ୍କ ଠାରୁ ଆରମ୍ଭ କରି କ୍ଲାଇବ ଲଏଡ, ବ୍ରାଏନ ଲାରା, ଗ୍ୟାରୀ ସୋବର୍ସ, ସାର ଭିଭିଆନ ରିଚାର୍ଡସ ଓ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଅଟୋଗ୍ରାଫ । ତେବେ କେବଳ ଅଟୋଗ୍ରାଫ ନୂହେଁ ବିଭିନ୍ନ ଐତିହାସିକ କ୍ରିକେଟ କିଟ ଯେମିତି କି ବ୍ୟାଟ, ଗ୍ଲୋବସ, ବଲ ,ୱିକେଟ ଓ କିଛି ଦେଶର କ୍ରିକେଟ ଜର୍ସି ମଧ୍ୟ ସାଇତି ରଖିଛନ୍ତି ସରୋଜ ।
ଅନ୍ୟପଟେ ସରୋଜଙ୍କ କ୍ରିକେଟ ପ୍ରତି ଏହି ଅନବିଳ ପ୍ରେମ ପାଇଁ ବେଶ ଗର୍ବିତ ଅନୁଭବ କରନ୍ତି ପରିବାର ଲୋକେ । କ୍ରିକେଟ ସ୍ମୃତି ସବୁ ସାଉଣ୍ଟି ରଖିବା ପାଇଁ ବେଶ ସହଯୋଗ କରନ୍ତି ସରୋଜଙ୍କ ପୁଅ ଯୁବରାଜ କର । ତେବେ ଯୁବରାଜ ବି ଜଣେ କ୍ଲବ କ୍ରିକେଟର । ଆଗକୁ ଜଣେ ବଡ କ୍ରିକେଟର ହେବା ସହିତ ବାପାଙ୍କ ଏହି ପ୍ରୟାୟକୁ ଆଗକୁ ଜାରି ରଖିବା ବୋଲି ସେ କହିଛନ୍ତି । ତେବେ ଅଟୋଗ୍ରାଫ ଗୁଡିକୁ ସୁରକ୍ଷିତ ରଖିବା ପାଇଁ କଟକରେ ଏକ ମ୍ୟୁଜିୟମ କରିବା ପାଇଁ ଯୋଜୋନା ରଖିଛନ୍ତି ସରୋଜ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ