କଟକ: ରାତିପାହିଲେ ଓଡ଼ିଆ ଘରର ମୁଖ୍ୟ ପର୍ବ ରଜ । ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଓ ଉଦ୍ଦୀପନାର ମାହୋଲ । ରଜକୁ ଧୁମଧାମରେ ପାଳିବା ପାଇଁ ଚାଲିଛି ସପିଂ । ସେପଟେ ହାତରେ ମେହେନ୍ଦୀ, ପାଦରେ ଅଳତା ଓ ମଥାରେ କୁଙ୍କୁମ ଲଗାଇ ସଜେଇ ହେଉଛି କୁଆଁରୀ ଝିଅ । 2 ବର୍ଷ ଧରି ରଜକୁ ଭଲଭାବେ ପାଳିନଥିବା କଟକବାସୀ ଏଥର ରଜକୁ ନେଇ ବେଶ ଉତ୍ସାହିତ ।
ସିଲଭରସିଟିରେ ରଜ ପାଇଁ ବଜାରରେ ଚାଲିଛି ସପିଂ । ନିଜ ମନ ପସନ୍ଦର ଡ୍ରେସ କିଣିବା ପାଇଁ ବାଉନ ବଜାର ତେପନ ଗଳିରେ ଥିବା ଛୋଟ ଦୋକାନଠୁ ଆରମ୍ଭ କରି ବଡ଼ ବଡ଼ ସପିଂ ମଲରେ ଲାଗିଛି ଭିଡ଼ । କିଏ ନିଜ ପାଇଁ ତ କିଏ ପରିବାର ସଦସ୍ୟଙ୍କ ପାଇଁ କିଣିବାରେ ବ୍ୟସ୍ତ । ଭଳିକି ଭଳି ଡ୍ରେସ ଆଇଟମ୍ ମଧ୍ୟ ରଜ ବଜାରକୁ ଆକର୍ଷଣୀୟ କରୁଛି । ତା' ସାଙ୍ଗକୁ ଅଫର ବର୍ଷା ଯାହା ଗ୍ରାହକ ମାନଙ୍କ ମନକୁ ଆମୋଦିତ କରୁଛି । ତେବେ ବଜାରରୁ ନୂଆ ଡ୍ରେସ କିଣି ଚଳିତବର୍ଷ ରଜକୁ ବେଶ ଧୁମଧାମରେ ପାଳିବା ପାଇଁ ଆଶା ରଖିଛନ୍ତି କଟକବାସୀ ।
ସେପଟେ ପହିଲି ରଜ ପୂର୍ବରୁ ପାଳନ ହୁଏ ସଜବାଜ । ଆଜି ସଜବାଜରେ ପ୍ରତ୍ୟେକ ଓଡ଼ିଆ ଘରେ ଝିଅମାନେ ନିଜକୁ ସୁନ୍ଦର ଭାବେ ସଜେଇଥାନ୍ତି । ଦୁଇ ବର୍ଷ ଧରି ଫିକା ପଡିଥିବା ରଜରେ ଏଥର କିନ୍ତୁ ଦେଖୁବାକୁ ମିଳିଛି ବେଶ ଖୁସି ଆଉ ଉତ୍ସହର ମାହୋଲ । ନା ଅଛି ମହାମାରୀ ଆଇନ ନା ଅଛି କୋରୋନାର ଭୟ । ପରିବାର ଭିତରେ ସମସ୍ତେ ଏକାଠି ବସି ସଜବାଜ ହେଉଛନ୍ତି । କିଏ ମେହେନ୍ଦୀ ଲଗଉଛି ତ ଆଉ କିଏ ନଖପାଲିସ, ପୁଣି କୁଙ୍କୁମ ଲଗାଇ ସଜେଇ ଦେଉଛନ୍ତି ମାଆ ମାନେ ।
ଅନ୍ୟପଟେ ରଜରେ ଝିଅମାନଙ୍କୁ କୌଣସି କାମ କରିବାକୁ ବାରଣ ଥିବାରୁ ତାଙ୍କର ଖୁସିବାସି ପାଇଁ ମାଆ ମାନେ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟପେୟ ସହ ପୋଡ଼ପିଠା ପ୍ରସ୍ତୁତ କରୁଛନ୍ତି । ଗତ ଦୁଇ ବର୍ଷ ଧରି କରୋନା ପାଇଁ ଫିକା ପଡିଥିବା ରଜକୁ ଏଥର ବେଶ ଧୁମଧାମରେ ପାଳିବେ ଓଡ଼ିଆ । ପିଠାପଣା, ରଜ ଦୋଳିର ଆସର ଭିତରେ ଏଥର ଜମିବ ରଜ ମଉଜ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ