କଟକ: ହଜାର ବର୍ଷର ସହର କଟକ । ଯେଉଁଠାରେ ନାନା ପରମ୍ପରା ଓ ସଂସ୍କୃତିର ସମ୍ମିଶ୍ରଣ ଦେଖିବାକୁ ମିଳେ । ଏହି ପାରମ୍ପରିକ ମୂଲ୍ୟବୋଧକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଛି କଟକ ମହାନଗର ନିଗମ । ସେଥିପାଇଁ କଟକର ପ୍ରମୁଖ ଓଭରବ୍ରିଜ ଗୁଡିକରେ ୱାଲ ପେଣ୍ଟିଂ କରଛି ସିଏମସି । ଓଡ଼ିଶା ମାଇନିଙ୍ଗ କର୍ପୋରେସନ ସହାୟତାରେ ଏହି କାମ କରାଯାଉଥିବା ବେଳେ ଲକଡାଉନରେ ଚିତ୍ରକରକୁ ରୋଜଗାର ମିଳିଛି ।
କଟକର ପ୍ରମୁଖ ଓଭର ବ୍ରିଜକୁ ନୂଆ ଲୁକ ଦେଉଛି ସିଏମସି । ଓଡିଶାର ପରମ୍ପରା ଯଥା ଓଡିଶୀ ନୃତ୍ୟ, ଝୋଟି, ଗୀତିନାଟ୍ୟର ଦୃଶ୍ୟ ଆଦିକୁ ବିଭିନ୍ନ ଓଭର ବ୍ରିଜ ଗୁଡିକରେ ଅଙ୍କା ଯାଉଛି । କଟକ ସହର ହେଉଛି ଭାଇଚାରାର ସହର । ତେବେ ଲୋକଙ୍କ ମନରେ ସଂସ୍କୃତି ଓ ପରମ୍ପରାକୁ ପୁନଃଜୀବିତ କରିବା ଉଦ୍ଦେଶ୍ୟରେ ଏହା କରାଯାଉଛି । ଏହାକୁ ସହରବାସୀ ବେଶ ସ୍ବାଗତ କରିଛନ୍ତି ।
ଅନ୍ୟପଟେ ଯେଉଁ ଚିତ୍ରକର ଏହି କାମରେ ନିୟୋଜିତ ରହିଛନ୍ତି ସେମାନଙ୍କୁ ରୋଜଗାର ମିଳିଥିବାରୁ ସେମାନେ ନିଜ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବରୁ ଅନେକ ସାର୍ବଜନୀନ ସ୍ଥାନରେ ସିଏମସି ପକ୍ଷରୁ ବିକାଶ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । କିନ୍ତୁ ଓଭର ବ୍ରିଜରେ କାମ ଆରମ୍ଭ ହେବାପରେ ଏହା ସହରର ଶୋଭା ବୃଦ୍ଧି କରିବାରେ ସକ୍ଷମ ହୋଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ