କଟକ: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖରୁ ଉପଲବ୍ଧ ହେବ ଓଷ୍ଟା ଟେଷ୍ଟପେପର । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ସଭାପତି ପ୍ରକାଶ ମହାନ୍ତି । ଗତଥର ଭଳି ଚଳିତ ବର୍ଷ ମଧ୍ୟ ସମେଟିଭ ଓ ଫରମେଟିଭ ଢାଞ୍ଚାରେ ପରୀକ୍ଷା କରାଯିବ । ତେବେ ଗତ ବର୍ଷ ତୁଳନାରେ ଚଳିତ ଶିକ୍ଷାବର୍ଷରେ କିଛି ପରିବର୍ତ୍ତନ କରିଛି ବୋର୍ଡ଼ । ପାଠପଢା ଓ ପରୀକ୍ଷା ପଦ୍ଧତିରେ ବାରମ୍ବାର ପରିବର୍ତ୍ତନକୁ ସମାଲୋଚନା କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ।
ଶିକ୍ଷାବର୍ଷ ୨୦୨୨-୨୩ ପାଇଁ ଦଶମ ଶ୍ରେଣୀର ପାଠ ପଢା ଆରମ୍ଭ ହୋଇ ଯାଇଥିବା ବେଳେ ଚଳିତ ଶିକ୍ଷାବର୍ଷର ପାଠ୍ୟକ୍ରମକୁ ୫୦ ପ୍ରତିଶତ ଲେଖାଏଁ ଭାଗରେ ବିଭକ୍ତ କରି ସମେଟିଭ ୧ ଓ ୨ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛି ବୋର୍ଡ଼ । ପରୀକ୍ଷାର୍ଥୀ ମାନେ ଶତ ପ୍ରତିଶତ ପାଠ୍ୟକ୍ରମର ଅଧ୍ୟୟନ କରି ପରୀକ୍ଷା ଦେବେ । ତେବେ ନୂଆ ଢାଞ୍ଚାରେ ହେଉ ଥିବା ପାଠପଢା ଓ ପରୀକ୍ଷା ପଦ୍ଧତିକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ସମାଲୋଚନା କରିଛି । ଏହା ସହିତ ସଂସ୍କାର ବାହାନାରେ ବାରମ୍ବାର ହେଉଥିବା ଏଭଳି ପରିବର୍ତ୍ତନକୁ ମଧ୍ୟ ନିନ୍ଦା କରାଯାଇଛି । ବ୍ୟବସ୍ଥାରେ ବାରମ୍ବାର ପରିବର୍ତ୍ତନ ଯୋଗୁଁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି ।
ତେଣୁ ଯେଉଁ ବ୍ୟବସ୍ଥା ପ୍ରଚଳିତ ଅଛି ସେଥିରେ ଆଉ ପରିବର୍ତ୍ତନ ନହେଉ ବୋଲି କହିଛି ସଙ୍ଘ । ସମେଟିଭ ୧ ପରୀକ୍ଷା ପାଇଁ ଟେଷ୍ଟ ପେପର ଜାରି କରିବା ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ବା "ଓଷ୍ଟା" ପକ୍ଷରୁ ଏହା କୁହାଯାଇଛି ।
ଇଟିଭି ଭାରତ, କଟକ